ଗୁଜୁରାଟରେ ବିଶ୍ୱର ସବୁଠାରୁ ବଡ ଚିଡିଆଖାନା ତିଆରି କରିବ ରିଲାଏନ୍ସ

ଅହମ୍ମଦାବାଦ, ୨୦|୧୨: ବିଶ୍ୱର ସବୁଠାରୁ ବଡ ଚିଡିଆଖାନା ନିର୍ମାଣ କରିବ ରିଲାଏନ୍ସ । ଏହା ଗୁଜୁରାଟର ଜାମନଗରରେ ତିଆରି ହେବ । ଏନେଇ କମ୍ପାନୀ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି । ଏହି ଚିଡିଆଖାନାରେ ୧୦୦ରୁ ଅଧିକ ପ୍ରଜାତିର ଜୀବଜନ୍ତୁ, ପକ୍ଷୀ, ସରିସୃପ ଆଦି ରହିବେ ।

ଏହା ହେଉଛି ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରକଳ୍ପ । ନିର୍ମାଣ ହେବାକୁ ଥିବା ଚିଡିଆଖାନା ୨୮୦ ଏକର ଜମିରେ ପରିବେଷ୍ଟିତ ହେବ । ଜାମନଗରରେ ଥିବା କମ୍ପାନୀର ତୈଳ ବିଶୋଧନ ପ୍ରକଳ୍ପ ନିକଟରେ ଏହାକୁ ନିର୍ମାଣ କରାଯିବ ।

ରିଲାଏନ୍ସ ଅଧିକାରୀଙ୍କ କହିବାନୁସାରେ, ଯଦି କୌଣସି ପ୍ରତିବନ୍ଧକ ନ ରୁହେ ତେବେ ଆଶନ୍ତା ୨ ବର୍ଷ ମଧ୍ୟରେ ସାଧାରଣ ଲୋକଙ୍କ ପାଇଁ ଏହି ଚିଡିଆଖାନା ଖୋଲିବ । ଏଥିପାଇଁ ସରକାରୀ ପ୍ରକ୍ରିୟା ଶେଷ ହୋଇଯାଇଛି । ସମସ୍ତ ଅନୁମତି ମଧ୍ୟ ମିଳିଛି । ଚିଡିଆଖାନାରେ ଫ୍ରଗ୍ ହାଉସ୍, ଇନସେକ୍ଟ ଲାଇଫ୍, ଡ୍ରାଗନ୍ସ ଲ୍ୟାଣ୍ଡ୍, ଏକଜୋଟିକ୍ ଆଇସଲ୍ୟାଣ୍ଡ ଆଦି ରହିବ । ସମସ୍ତ ଯୋଜନା ସେଣ୍ଟ୍ରାଲ୍ ଜୁ ଅଥରିଟୀର ଓ୍ୱେବସାଇଟରେ ସେୟାର କରାଯାଇଛି ।

ଚିଡିଆଖାନାରେ ବାର୍କିଂ ଡିଅର, ବାଘ, ଭାଲୁ, ହାତୀ, ସିଂହ, ଆଫ୍ରିକାନ ଲାୟନ, ଜାଗୁଆର, ଜିରାଫ, ମାଙ୍କଡ, ଚିତା ଆଦିଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି । ଏହା ଦ୍ୱାରା ଦେଶରେ ବେସରକାରୀ ଚିଡିଆଖାନାରେ ଏକ ନୂଆ ଅଧ୍ୟାୟ ଯୋଡି ହେବ ବୋଲି କହିଛନ୍ତି ରିଲାଏନ୍ସର କର୍ପୋରେଟ୍ ଆଫାୟାର୍ସ ଡାଇରେକ୍ଟର ପରିମଳ ନାଥଓ୍ୱାନୀ ।

Related posts

Leave a Comment