ବଢୁଛି ସଂକ୍ରମଣ : ୨୪ ଘଣ୍ଟା ପାଇଁ SCB ସେଣ୍ଟ୍ରାଲ୍‌ ଆଇସିୟୁ ସଟ୍‌ଡାଉନ୍

କଟକ ୨୭।୦୮: କରୋନା ସଂକ୍ରମଣ କାରଣରୁ ଏସ୍‌ସିବି ସେଣ୍ଟ୍ରାଲ ଆଇସିୟୁରେ ତାଲା ପଡିଯାଇଛି । ଆଇସିୟୁରେ କାର୍ଯ୍ୟରତ ୧୨ ଜଣ ନର୍ସ ଓ ୨ ଜଣ କର୍ମଚାରୀ ପଜିଟିଭ୍‌ ଚିହ୍ନଟ ହେବା ପରେ ୩୦ ବେଡ୍‌ ବିଶିଷ୍ଟ ଏହି ଗୁରୁତ୍ୱପୂର୍ଣ୍ଣ ୟୁନିଟ୍‌କୁ ୨୪ ଘଣ୍ଟା ପାଇଁ ବନ୍ଦ ରଖାଯାଇଛି । ଆଇସିୟୁରେ ଥିବା ରୋଗୀମାନଙ୍କୁ ଟ୍ରମା, ମେଡିସିନ୍‌ ଓ ପ୍ରସୂତି ବିଭାଗ ଆଇସିୟୁରେ ସାମୟିକ ଭାବେ ଥଇଥାନ କରାଯାଇଛି । ବିଶୋଧନ ପରେ ପୁନର୍ବାର ଆଇସିୟୁକୁ କାର୍ଯ୍ୟକ୍ଷମ କରାଯିବ ବୋଲି ନିଶ୍ଚେତକ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଦୈତାରୀ ରାଉତରାୟ ସୂଚନା ଦେଇଛନ୍ତି ।

ଏସ୍‌ସିବିର ସବୁଠୁ ବଡ଼ ଆଇସିୟୁ ୟୁନିଟ୍‌ କୁହାଯାଉଥିବା ସେଣ୍ଟ୍ରାଲ୍‌ ଆଇସିୟୁରେ ସଂକ୍ରମଣ ବ୍ୟାପିବା ଘଟଣା ଡାକ୍ତରଖାନା ପ୍ରଶାସନ ପାଇଁ ଚିନ୍ତା ସୃଷ୍ଟି କରିଛି । ଗତକାଲି ସେଣ୍ଟ୍ରାଲ ଆଇସିୟୁରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ସଂସ୍ପର୍ଶରେ ଆସି ଆଇସିୟୁରେ କାର୍ଯ୍ୟରତ ୧୨ଜଣ ନର୍ସ ଓ ଦୁଇଜଣ କର୍ମଚାରୀଙ୍କୁ ମିଶାଇ ମୋଟ ୧୪ଜଣ କରୋନା ସଂକ୍ରମିତ ହୋଇଥିଲେ । ଫଳରେ ସେଣ୍ଟ୍ରାଲ୍‌ ଆଇସିୟୁକୁ ଆଉ ଚଳାଇବା ସମ୍ଭବ ହୋଇନଥିଲା । ଆଇସିୟୁକୁ ସଟ୍‌ଡାଉନ୍‌ କଲାବେଳକୁ ସେଠାରେ ୫ରୁ ୭ଜଣ ରୋଗୀ ଥିବା ଡାକ୍ତର ରାଉତରାୟ କହିଛନ୍ତି । ସେହିପରି ଗତ ଦୁଇଦିନ ମଧ୍ୟରେ ଏସ୍‌ସିବିର ସର୍ଜରୀ, ନିଶ୍ଚେତକ ଓ ଦନ୍ତରୋଗ ବିଭାଗରୁ ୧୫ରୁ ଅଧିକ ଡାକ୍ତର କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସର୍ଜରୀ ବିଭାଗରୁ ଆଜି ଜଣେ ପିଜି ଡାକ୍ତର କରୋନା ପଜିଟିଭ୍‌ ହୋଇଥିବା ବେଳେ ଏଯାବତ୍‌ ନିଶ୍ଚେତକ ବିଭାଗରୁ ୮ଜଣ ପାଖାପାଖି ଡାକ୍ତର କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

ଅନ୍ୟପକ୍ଷରେ ଏସ୍‌ସିବି ଆଇସୋଲେସନ୍‌ ୱାର୍ଡରେ ଗତ ସପ୍ତାହକ ମଧ୍ୟରେ ରୋଗୀ ମୃତ୍ୟୁହାର ଅତିରିକ୍ତ ବୃଦ୍ଧି ପାଇଛି। କରୋନା ସଂଦିଗ୍‌ଧ ରୋଗୀଙ୍କ ଚିକିତ୍ସା ପାଇଁ ତିଆରି ହୋଇଥିବା ଆଇସୋଲେସନ୍‌ ୱାର୍ଡରେ ଏବେ କରୋନା ରୋଗୀ ଭର୍ତ୍ତି ହୋଇଗଲେଣି। ୨୬୦ ବେଡ୍‌ ବିଶିଷ୍ଟ ଏହି ୱାର୍ଡରେ ୫୦ରୁ ଅଧିକ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ସେହିପରି ମାର୍ଚ୍ଚ ମାସରୁ କାର୍ଯ୍ୟକ୍ଷମ ହୋଇଥିବା ଏହି ୱାର୍ଡରେ ୭୦୦ ପାଖାପାଖି ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ୨୦୦ ପାଖାପାଖି ରୋଗୀଙ୍କର ମୃତ୍ୟୁ ହୋଇସାରିଲାଣି। ତେବେ ୨୦୦ ମୃତକଙ୍କ ମଧ୍ୟରୁ ୪୬ଜଣ କରୋନା ପଜିଟିଭ୍‌ ରୋଗୀ ଥିବା ଏସ୍‌ସିବି ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି ।

ବିଶେଷକରି ଗତ ୧୯ ତାରିଖ ସୁଦ୍ଧା ଆଇସୋଲେସନ୍‌ ୱାର୍ଡରେ କରୋନା ମୃତ୍ୟୁ ସଂଖ୍ୟା ୨୦ ଥିବା ବେଳେ ଆଜି ତାହା ୪୬ରେ ପହଞ୍ଚିଛି। ଅର୍ଥାତ ଗତ ୭ଦିନ ମଧ୍ୟରେ ଏସ୍‌ସିବି ଆଇସୋଲେସନ୍‌ ୱାର୍ଡରେ ୨୬ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି। ତେବେ ଏ ସଂପର୍କରେ କରେନା ନୋଡାଲ୍‌ ଅଧିକାରୀ ପ୍ରଫେସର ଡାକ୍ତର ଏମ୍‌.ଆର୍‌. ପଟ୍ଟନାୟକ କହିଛନ୍ତି ଯେ, କରୋନା ସଂଦିଗ୍‌ଧ ଭାବେ ସମସ୍ତଙ୍କୁ ଏହି ୱାର୍ଡରେ ଭର୍ତ୍ତି କରାଯାଉଛି । ଏଠି ଅଣକରୋନା ଓ କରୋନା ରୋଗୀଙ୍କର ମୃତ୍ୟୁ ହେଉଛି। ତେବେ ମୃତ୍ୟୁ ରିପୋର୍ଟର ସମୀକ୍ଷା କରିବା ପରେ ପ୍ରକୃତ ସଂଖ୍ୟା ସ୍ପଷ୍ଟ ହୋଇପାରିବ ବୋଲି ସେ କହିଛନ୍ତି ।

Related posts

Leave a Comment