ବଦଳୁଛି ପାଗ ତତେଇବ ତାତି, ଆହୁରି ୬/୭ ଦିନ

ଭୁବନେଶ୍ୱର ୦୮।୦୯: ଗତକିଛି ଦିନ ହେଲା ପାଗରେ କିଛି ପରିବର୍ତ୍ତନ ଦେଖାଦେଇଛି । ଯାହାଫଳରେ କି ବର୍ଷା ବଦଳରେ ଏବେ ଟାଏଁ ଟାଏଁ ଖରା ହେଉଛି । ଭାଦ୍ରବରେ ବୈଶାଖ ତାତି ଭଳି ନାକେଦମ କଲାଣି। ରାଜ୍ୟରେ ପ୍ରାୟ ଆହୁରି ୬/୭ ଦିନ ଏଭଳି ଗରମ ଅନୁଭୂତ ହେବ । ସବୁଠୁ ବେଶି ନାକେଦମ କରିବ ଉପକୂଳ ଓଡ଼ିଶାକୁ । ଉପକୂଳ ଅଞ୍ଚଳରେ ଆଉ ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ । ଏମିତି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ।

ଡକ୍ଟର ପଶୁପାଳକ କହିଛନ୍ତି, ଭାଦ୍ରବ ମାସର ଏହି ସମୟରେ ସାଧାରଣତଃ ଏଭଳି ପାଣି ଖରା ହୋଇଥାଏ । କିନ୍ତୁ, ଚଳିତବର୍ଷ ଏହା ସ୍ୱାଭାବିକଠାରୁ ପ୍ରାୟ ୩ ଡିଗ୍ରୀରୁ ଅଧିକ ରହୁଛି । ସୋମବାର ଦିନ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୫.୭ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ପାରଳାଖେମୁଣ୍ଡି ୩୭.୫ ଡିଗ୍ରୀ, ଚାନ୍ଦବାଲି ୩୬.୧, ଅନୁଗୁଳ ୩୬.୧, ସମ୍ବଲପୁର ୩୫.୨ ଡିଗ୍ରୀ ଥିଲା ।

ରାଜ୍ୟରେ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଥିବା ତାପମାତ୍ରା ନେଇ ଡକ୍ଟର ପଶୁପାଳକ କହିଛନ୍ତି, ବର୍ତ୍ତମାନର ତାପମାତ୍ରା ବୃଦ୍ଧିର କେତୋଟି ବୈଜ୍ଞାନିକ କାରଣ ରହିଛି। ପ୍ରଥମତଃ ରାଜ୍ୟରେ ବର୍ଷା ଛାଡ଼ିଯାଇଛି। ମୌସୁମୀ ଟ୍ରଫ୍‌ ପ୍ରାୟତଃ ଦେଖାଯାଉନି। ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି । ମନସୁନ୍‌ ବ୍ରେକ୍‌ ସ୍ଥିତି ଉପୁଜିଛି। ଦ୍ୱିତୀୟ କାରଣଟି ହେଲା, ଆକାଶର ଅବସ୍ଥା । ଆକାଶ ମେଘୁଆ ରହିଲେ ସୂର୍ଯ୍ୟକିରଣ ସିଧାଭାବେ ଭୂପୃଷ୍ଠରେ ପହଞ୍ଚିପାରେ ନାହିଁ । ହେଲେ ରାଜ୍ୟରେ ଆକାଶ ପ୍ରାୟତଃ ମେଘମୁକ୍ତ ରହୁଛି ।

ତୃତୀୟ କାରଣଟି ହେଲା, ବାୟୁର ଦିଗ । ଦେଖାଯାଇଛି ଗତ କିଛି ଦିନ ହେଲା, ଉପର ବାୟୁମଣ୍ଡଳରେ ପଶ୍ଚିମା ପବନ ବହୁଛି । ଦକ୍ଷିଣ-ପଶ୍ଚିମା ପବନ ପ୍ରବାହ ନାହିଁ । ସାମୁଦ୍ରିକ ପବନ ଆସୁନଥିବାରୁ ତାପମାତ୍ରା କମୁନି । ବାୟୁର ବେଗ ମଧ୍ୟ ଅନ୍ୟ ଏକ କାରଣ । ବାୟୁର ବେଗ ଅଧିକ ରହିଲେ, ଗୋଟିଏ ସ୍ଥାନର ତାପ ଅନ୍ୟ ସ୍ଥାନକୁ ବହିଯାଇଥାଏ । କିନ୍ତୁ, ବର୍ତ୍ତମାନ ଅଧିକାଂଶ ସ୍ଥାନରେ ବାୟୁର ବେଗ କମ୍‌ ରହୁଛି ।

ଆଉ ଏକ କାରଣ ହେଲା, ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହୁଛି । ଡକ୍ଟର ପଶୁପାଳକ କହିଛନ୍ତି, ଅଗଷ୍ଟ ମାସରେ ଅତ୍ୟଧିକ ବର୍ଷା ଓ ବନ୍ୟାଯୋଗୁ ମାଟି ସବୁଆଡ଼େ ଢେର ଓଦା ରହିଛି । ତେଣୁ ବାଷ୍ପୀକରଣ ଅଧିକ ରହୁଥିବାରୁ ଆର୍ଦ୍ରତା ଅଧିକ ରହୁଛି ।

ଉପରମୁହାଁ ବାୟୁର ଗତି କମ୍‌ ରହୁଥିବାରୁ ଭୂପୃଷ୍ଠର ତାପ ଉପର ବାୟୁମଣ୍ଡଳକୁ ବିକିରିତ ହୋଇପାରୁନି । ତେଣୁ ତାପମାତ୍ରା କମୁନାହିଁ । ଆଉ ଏକ କାରଣ ହେଲା, ବର୍ତ୍ତମାନର ବାୟୁର ଆର୍ଦ୍ରତା ଓ ତାପଜ ଧରିବାର କ୍ଷମତାରେ ବିଶେଷ ପ୍ରଭେଦ ନାହିଁ । ତେଣୁ ଭୂପୃଷ୍ଠର ଉପର ତାପ କମୁନାହିଁ ।

ସେ କହିଛନ୍ତି, ଉପକୂଳ ଓଡ଼ିଶାରେ ଆଉ ୧୦ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଚାଲୁ ରହିବ । ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୧୨ ତାରିଖରେ ୧ରୁ ୨ ଡିଗ୍ରୀ ତାତି ବଢ଼ିପାରେ । ଉତ୍ତର ଓଡ଼ିଶାରେ ୧ରୁ ୧୪ ତାରିଖ ମଧ୍ୟରେ ସାମୟିକ ବଢ଼ିପାରେ ତାପମାତ୍ରା । ସେପ୍ଟେମ୍ବର ତୃତୀୟ ସପ୍ତାହରେ ରାଜ୍ୟରେ ପୁଣି ଭଲ ବର୍ଷା ସମ୍ଭାବନା ଅଛି ।

Related posts

Leave a Comment