ଶ୍ରୀରାମଙ୍କ ନାଁରେ ହେବ ଅଯ୍ୟୋଧ୍ୟା ଏୟାରପୋର୍ଟ

ଅଯୋଧ୍ୟା ୦୯/୦୯: ଅଯୋଧ୍ୟା ଏୟାରପୋର୍ଟର ନାଁ ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଙ୍କ ନାଁରେ କରାଯିବ। ଏହା ସହ ଏୟାରପୋର୍ଟ ମଧ୍ୟ ଅନ୍ତରାଷ୍ଟ୍ରୀୟ ସ୍ତରର ହେବ। ଏ ନେଇ ଯୋଗୀ ସରକାର ନାମ ପରିବର୍ତନ ଓ ଏୟାରପୋର୍ଟ ସଂପ୍ରସାରଣ ବୃଦ୍ଧି ଦିଗରେ କାମ ଆରମ୍ଭ କରିଛନ୍ତି।

୨୦୨୧ ସୁଦ୍ଧା ଏୟାରପୋର୍ଟ ନିର୍ମାଣକାର୍ଯ୍ୟ ପୂରା କରାଯିବା ଯୋଜନା ରହିଛି। ରାମ ମନ୍ଦିର ନିର୍ମାଣ ପରେ ଏଠାକୁ ଜାତୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏୟାରପୋର୍ଟ ବିସ୍ତାରର ଯୋଜନା ପ୍ରସ୍ତୁତି କରିଛନ୍ତି।

ତେବେ ୨୦୧୭ରେ ଅଯ୍ୟୋଧ୍ୟା ଏୟାରପୋର୍ଟ ବିକାଶକୁ ଦୁଇଟି ପର୍ଯ୍ୟାୟରେ ଆରମ୍ଭ କରିବ ଯୋଜନା କରାଯାଇଥିଲା। ଏ ପାଇଁ କରାଯାଇଥିବା ଟେକ୍ନୋ-ଇକୋନମିକ ସର୍ଭେର ପ୍ରଥମ ପର୍ଯ୍ୟାୟରେ ଏଟିଆର-୭୨ ବିମାନକୁ ବିକଶିତ କରାଯିବା ଲକ୍ଷ୍ୟ ରଖାଯାଇ ଥିଲା। ଏଥିରେ ରନଓ୍ବେର ଲମ୍ବ ୧୬୮୦ ମିଟର ରହିଥାନ୍ତା। ଦ୍ବିତୀୟ ପର୍ଯ୍ୟାୟରେ ଏ-୩୨୧, ୨୦୦ ସିଟର ବିମାନ ପାଇଁ ଏୟାରପୋର୍ଟକୁ ବିକାଶ କରିବା ଯୋଜନା ଥିଲା।

ଏଥିରେ ରନଓ୍ବେର ଲମ୍ବ ୨୩୦୦ ମିଟର ରଖାଯିବା ନେଇ ପ୍ରସ୍ତାବ ରଖାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଏୟାରପୋର୍ଟକୁ ବୋଇଙ୍ଗ-୭୭୭ ବିମାନ ଯୋଗ୍ୟ ତିଆରି କରିବା ଓ ତାର ନାମ ପରିବର୍ତନ କରିବା ଘୋଷଣା କରିଥିଲେ। ଏହା ପରେ ଭାରତୀୟ ବିମାନ ପ୍ରତ୍ନପ୍ରାଧିକରଣ ଗତବର୍ଷ ମେ ୫ ତାରିଖରେ ଭୌତିକ ସର୍ଭେ କରିବା ପରେ ସଂଶୋଧିତ ରିପୋର୍ଟ ପ୍ରସ୍ତୁତ କରିଥିଲେ।

Related posts

Leave a Comment