ମୁମ୍ବାଇ ୨୨।୦୯: ମହାରାଷ୍ଟ୍ରର ବମ୍ଵେ ହାଇକୋର୍ଟ ମଙ୍ଗଳବାର ଅଭିନେତ୍ରୀ କଙ୍ଗନା ରଣାଓ୍ଵତଙ୍କୁ ନିଜ ଆବେଦନରେ ଶିବସେନାର ମୁଖପାତ୍ର ସଞ୍ଜୟ ରାଉତଙ୍କ ନାମକୁ ଏକ ପକ୍ଷକାର ଭାବେ ସାମିଲ କରିବାକୁ ଅନୁମତି ଦେଇଛନ୍ତି। ମୁମ୍ବାଇରେ ରଣାଓ୍ଵତଙ୍କ ବଙ୍ଗଳାର ଗୋଟିଏ ଅଂଶକୁ ବୃହନ ମୁମ୍ବାଇ ମହାନଗର ପାଳିକା(ବିଏସମି) ଦ୍ଵାରା ଭଙ୍ଗାଯିବା ପରେ ଅଭିନେତ୍ରୀ ଏହା ବିରୋଧରେ ଆବେଦନ କରିଥିଲେ। ବିଚାରପତି ଏସହେ କାଠଓ୍ଵାଲା ଓ ବିଚାରପତି ଆରଆଇ ଚାଗଲାଙ୍କ ପୀଠ ବିଏମସିର ଏଚ-ଓ୍ଵାର୍ଡର ଅଧିକାରୀ ଭାଗ୍ୟବନ୍ତ ଲାତେଙ୍କୁ ମଧ୍ୟ ପକ୍ଷକାର କରିବାକୁ ଅନୁମତି ଦେଇଛନ୍ତି। ଯଦ୍ଵାରା ଅଭିନେତ୍ରୀଙ୍କ ଦ୍ଵାରା ତାଙ୍କ ଉପରେ ଲଗାଯାଇଥିବା ଅଭିଯୋଗ ଉପରେ ମଧ୍ୟ ସେ ନିଜର ଉତ୍ତର ରଖି ପାରିବେ।
ରଣାଓ୍ଵତ ସେପ୍ଟେମ୍ବର ୯ରେ ହାଇକୋର୍ଟରେ ଆବେଦନ କରି ତାଙ୍କ ବଙ୍ଗଳାକୁ ବିଏମସି ଭାଙ୍ଗିଥିବା ଅଭିଯୋଗ କରିଛନ୍ତି। ସେଥିପାଇଁ ସେ ବିଏମସିଠୁ ୨ କୋଟି ଟଙ୍କାର କ୍ଷତିପୂରଣ ଦାବି ମଧ୍ୟ କରିଛନ୍ତି। ସଂଶୋଧିତ ଆବେଦନ ଉପରେ ମଙ୍ଗଳବାର ଶୁଣାଣି ସମୟରେ କଙ୍ଗନାଙ୍କ ଓକିଲ ବରିଷ୍ଠ ଅଧିବକ୍ତା ବୀରେନ୍ଦ୍ର ସରାଫା ଏକ ଭିଡିଓ ଅଦାଲତରେ ଉପସ୍ଥାପନ କରିଛନ୍ତି, ଯେଉଁଥିରେ ଶିବସେନା ରାଉତ ଅଭିନେତ୍ରୀଙ୍କୁ ଧମକ ଦେଉଥିବା ନଜର ଆସିଛନ୍ତି।
ବିରଚାରପତି କାଠଓ୍ଵାଲା କହିଛନ୍ତି ଯଦି ଅଭିନେତ୍ରୀ ଏହି ଭିଡିଓକୁ ଠିକ୍ ବୋଲି ଭାବୁଛନ୍ତି ତେବେ ରାଉତଙ୍କୁ ମଧ୍ୟ ଏହା ଉପରେ କହିବାକୁ ସୁଯୋଗ ଦେବା ଉଚିତ୍। ପୀଠ କହିଛନ୍ତି ହୋଇପାରେ ରାଉତ ନିଜ ଉତ୍ତରରେ କହି ପାରନ୍ତି ଯେ, ଏହା ତାଙ୍କ ବୟାନ ନୁହେଁ। ଡିଭିଡିଟି ଭୁଲ ଅଟେ। ତେଣୁ ତାଙ୍କୁ ମଧ୍ୟ ନିଜର ଉତ୍ତର ଦେବାକୁ ସୁଯୋଗ ଦେବା ଉଚିତ୍। ଏହା ପରେ କଙ୍ଗନାଙ୍କ ଓକିଲ ସଞ୍ଜୟ ରାଉତଙ୍କ ସହିତ ଭାଗ୍ୟବନ୍ତ ଲାତେଙ୍କୁ ମଧ୍ୟ ପକ୍ଷକାର କରିବାକୁ ଚାହିଁଥିଲେ। ଯାହାକୁ କୋର୍ଟ ସ୍ଵୀକାର କରିଛନ୍ତି। କାରଣ ଲାତେ ଅବୈଧ ନିର୍ମାଣ ଧ୍ଵସ୍ତ କରିବା ସମ୍ବନ୍ଧିତ ସମସ୍ତ ଆଦେଶ ଜାରି କରିଥିଲେ