ଗର୍ଜିଲେ ସଞ୍ଜୁ ଓ ସ୍ମିଥ: ଚେନ୍ନାଇ ସୁପରକିଙ୍ଗ୍ସକୁ ୨୧୭ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଲା ରାଜସ୍ଥାନ ରୟାଲ୍ସ

ଶାରଜା ୨୨।୦୯: ଶାରଜା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ ୧୩ତମ ସଂସ୍କରଣର ଚତୁର୍ଥ ମ୍ୟାଚ୍‌ରେ ସଞ୍ଜୁ ସାମସନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ଷ୍ଟିଭେନ ସ୍ମିଥଙ୍କ ଅଧିନାୟକତ୍ଵ ଇନିଂସ ବଳରେ ରାଜସ୍ଥାନ ରୟାଲ୍ସ ଚେନ୍ନାଇ ସୁପରକିଙ୍ଗ୍ସ ବିରୋଧରେ ବିଶାଳ ଲକ୍ଷ୍ୟ ନିର୍ଦ୍ଧାରିତ କରିଛି। ସାମସନଙ୍କ ବିସ୍ଫୋରକ ୭୪ ରନ ଏବଂ ସ୍ମିଥଙ୍କ ୬୯ ରନ ବଳରେ ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୨୧୬ ରନ କରିଛି। ଦ୍ଵିତୀୟ ମ୍ୟାଚ୍‌ ଖେଳୁଥିବା ଚେନ୍ନାଇ ସୁପରକିଙ୍ଗ୍ସ ସମ୍ମୁଖରେ ୨୧୭ରନର ବିଶାଳ ବିଜୟ ଲକ୍ଷ୍ୟ ରହିଛି। ଚେନ୍ନାଇ ପକ୍ଷରୁ ସଫଳ ବୋଲର ଭାବେ ସାମ କରନ ୩ ଓ୍ଵିକେଟ୍ ନେଇଛନ୍ତି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସକୁ ୧୧ ରନରେ ପ୍ରଥମ ଝଟକା ଲାଗିଥିଲା। ଯଶସ୍ଵୀ ଜୟସଓ୍ଵାଲ(୬)ଦୀପକ ଚହରଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ସଞ୍ଜୁ ସାମସନ ଓ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍‌ ବିସ୍ଫୋରକ ବ୍ୟାଟିଂ କରି ଦଳର ସ୍ଥିତି ମଜବୁତ କରିଥିଲେ। ବିଶେଷ କରି ସଞ୍ଜୁ ସାମସନ ବିସ୍ଫୋରକ ବ୍ୟାଟିଂ କରି ଚେନ୍ନାଇ ବୋଲରଙ୍କୁ ନିର୍ଘାତ ପ୍ରହାର କରିଥିଲେ। ଉଭୟ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୨୨ ରନ ଯୋଡି ଦଳର ସ୍କୋରକୁ ୧୩୨ ରନରେ ପହଞ୍ଚାଇଥିଲେ। ସଞ୍ଜୁ ସାମସନ ୩୨ ବଲରୁ ୧ ଚୌକା ଓ ୯ ବିଶାଳ ଛକା ଜରିଆରେ ୭୪ ରନ କରି ଲୁଙ୍ଗି ଏନଗିଡିଙ୍କ ବଲରେ ଆଉଟ୍ ହୋଇଥିଲେ। ସାମସନ ୧୯ ବଲରୁ ଅର୍ଦ୍ଧଶତକ ହାସଲ କରିଛନ୍ତି। ଯାହା ଏ ପର୍ଯ୍ୟନ୍ତ ୨୦୨୦ ଆଇପିଏଲରେ ଦ୍ରୁତତମ ଅର୍ଦ୍ଧଶତକ।

ଏହା ପରେ ଡେଭିଡ୍ ମିଲର କୌଣସି ବଲ୍ ସମ୍ମୁଖୀନ ନହୋଇ ଦୁର୍ଭାଗ୍ୟବଶତଃ ରନ୍ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଅନ୍ୟପଟେ ସ୍ମିଥ୍‌ ଦଳର ମଙ୍ଗ ସମ୍ଭାଳି ଥିବା ବେଳେ ଅନ୍ୟପଟେ ଦଳ ସଅଳ ୪ ଓ୍ଵିକେଟ୍ ହରାଇଥିଲା। ରବିନ ଉଥପା(୫), ରାହୁଲ ତେଓ୍ଵତିଆ(୧୦), ରିୟାନ ପରାଗ(୬)  ବିଫଳ ହୋଇଥିଲେ। ସପ୍ତମ ଖେଳାଳି ଭାବେ ଅଧିନାୟକ ସ୍ମିଥ୍‌ ସାମ କରନଙ୍କ ବଲରେ ଆଉଟ୍ ହୋଇଥିଲେ। ସେ ୪୭ ବଲରୁ ୪ ଚୌକା ଓ ୪ ଛକା ସହାୟତାରେ ୬୯ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଶେଷ ଆଡକୁ ଜୋଫ୍ରା ଆର୍ଚରଙ୍କ  ୮ଟି ବଲରୁ ଧୂଆଁଧାର ବ୍ୟାଟିଂ କରି ୪ ଛକା ଜରିଆରେ ୨୭ ରନ କରିବାରୁ ରାଜସ୍ଥାନ ରୟାଲ୍ସ ୨୧୬ରନର ବିଶାଳ ସ୍କୋର କରିବାରେ ସଫଳ ହୋଇଛି। ଟମ କରନ ୯ ବଲରୁ ୧୦ ରନରେ ଅପରାଜିତ ଥିଲେ।

ଚେନ୍ନାଇ ତରଫରୁ ସଫଳ ବୋଲର ଭାବେ ସାମ କରନ ୩୩ ରନ ଦେଇ ୩ ସଫଳତା ପାଇଥିଲେ। ଦୀପକ ଚହର ୧, ଲୁଙ୍ଗି ଏନଗିଡି ୧ ଓ ପିୟୂଷ ଚାଓ୍ଵଲା ୧ ଓ୍ଵିକେଟ୍ ନେଇଛନ୍ତି।

Related posts

Leave a Comment