‘ବିନା ମାସ୍କରେ କାହାକୁ ଦେଖିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅ’, ପୋଲିସକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଲକ୍ଷ୍ନୌ, ୨୫|୦୯: ଦେଶରେ କରୋନା ସଂକ୍ରମଣ ମାମଲା ଲଗାତର ଭାବେ ବୃଦ୍ଧି ପାଉଛି । ଉତ୍ତର ପ୍ରଦେଶରେ ବେକାବୁ ଅଛି କରୋନା ଭାଇରସ । ତେବେ ଉତ୍ତର ପ୍ରଦେଶରେ ବର୍ଦ୍ଧିତ କରୋନା ମାମଲାକୁ ନଜରରେ ରଖି ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ଯଦି କେହି ବିନା ମାସ୍କରେ ବାହାରେ ବୁଲୁଥିବାର ଦେଖିବାକୁ ମିଳେ ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାନୁସାରେ, ହାଇକୋର୍ଟ ଉତ୍ତର ପ୍ରଦେଶରେ କୋଭିଡ୍ କେୟାରରେ ଆହୁରି ଉନ୍ନତ ଚିକିତ୍ସା ଓ ସୁବିଧାକୁ ନେଇ ଏକ ପିଆଇଏଲର ଶୁଣାଣି କରୁଥିଲେ । ଜଷ୍ଟିସ୍ ଅଜିତ କୁମାର ଓ ଜଷ୍ଟିସ ସିଧାର୍ଥ ବର୍ମାଙ୍କ ଖଣ୍ଡପୀଠ କହିଥିଲେ ଯେ, ବାହାରେ କେହି ବିନା ମାସ୍କରେ ନବୁଲନ୍ତୁ । ଯଦି କେହି ମାସ୍କ ନପିନ୍ଧେ ତେବେ ଏହା ସମାଜ ପ୍ରତି ଅପରାଧ ବୋଲି ବିବେଚନା କରାଯିବ ।

କୋର୍ଟ ଆହୁରି କହିଥିଲେ ଯେ, ପ୍ରତି ଥାନାରେ ଗଠିତ ପୋଲିସ ଟାସ୍କ ଫୋର୍ସ ବିନା ମାସ୍କରେ ବୁଲୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉ । ହୋମ୍ ଆଇସୋଲେସନରେ ରହୁଥିବା ବ୍ୟକ୍ତିଙ୍କୁ ଚିକିତ୍ସା ସୁବିଧା ମିଳିବା ଆବଶ୍ୟକ । ସେମାନଙ୍କ ଏକ୍ସରେ ଓ ସିଟି ସ୍କାନ ପାଇଁ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ସୁବିଧା ମିଳୁ ।

Related posts

Leave a Comment