୧୫ ଦିନ ମୃତ୍ୟୁ ସହ ସଂଘର୍ଷ କରି ଆଖିବୁଜିଲେ ଗଣଦୁଷ୍କର୍ମ ପୀଡିତା, ଦୁଷ୍କର୍ମ ପରେ ଜିଭ କାଟିଦେଇଥିଲେ ଅଭିଯୁକ୍ତ

ହାଥରସ ୨୯।୯: ଉତ୍ତରପ୍ରଦେଶ ହାଥରସରେ ଦୁଷ୍କର୍ମର ଶିକାର ହୋଇଥିବା ପୀଡିତା ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ହାରିଯାଇଛି । ସଫଦରଜଙ୍ଗ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଦୁଇ ଦିନ ପୂର୍ବରୁ ପୀଡିତାଙ୍କୁ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଭିଯୁକ୍ତମାନେ ଦୁଷ୍କର୍ମ ପରେ ତାଙ୍କ ଜିଭ କାଟି ଦେଇଥିଲେ । ଘଟମା ପରେ ପ୍ରାୟ ଏକ ସପ୍ତାହ ଧରି ସେ ବେହୋସ ହୋଇ ରହିଥିଲେ ।

ସୂଚନା ଅନୁସାରେ ଗତ ୧୪ ତାରିଖରେ ଉତ୍ତରପ୍ରଦେଶ ହାଥରସରେ ୧୯ ବର୍ଷର ଦଳିତ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା । ଯୁବତୀଙ୍କ ସହ ତାଙ୍କ ଗାଁର ୪ ଜଣ ଯୁବକ ଏଭଳି କାଣ୍ଡ ଘଟାଇଥିଲେ । କେବଳ ଏତିକି ନୁହେଁ ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ତାଙ୍କ ଗଳା ଚିପି ହତ୍ୟା ଉଦ୍ୟମ ମଦ୍ୟ କରିଥିଲେ । ଘଟଣା ପରେ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା ।

ପୀଡିତାଙ୍କୁ ଆଲିଗଡ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ସଫଦରଜଙ୍ଗ ହସ୍ପିଟାଲରେ ସୋମବାର ଦିନ ସ୍ଥାନାନ୍ତର କରାଯାଇଥିଲା । ଅଭିଯୁକ୍ତମାନେ ଯୁବତୀଙ୍କ ମେରୁଦଣ୍ଡ ଏବଂ ଗଳା ଉପରେ ଶକ୍ତ ପ୍ରହାର କରିଥିଲେ । ପୀଡିତାଙ୍କ ଜିଭ ମଧ୍ୟ କାଟି ଦେଇଥିଲେ । ଘଟଣା ପରଠାରୁ ପୀଡିତା ଭେଣ୍ଟିଲେଟରରେ ଥିଲେ ।

Related posts

Leave a Comment