ଦୁବାଇ, ୦୧ ।୧୦: ଆଇପିଏଲ ୨୦୨୦ରେ ବୁଧବାର ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ରବିନ ଉଥାପ୍ପା ଆଇସିସିର ନିୟମ ଭାଙ୍ଗିଛନ୍ତି । ସେ ବଲରେ ଛେପ ଲଗାଇବା ଅଭିଯୋଗ ହୋଇଛି । ଆଇସିସି କରୋନା ବିପଦକୁ ନଜରରେ ରଖି ବଲରେ ଛେପ ଲଗାଇବା ଉପରେ କଟକଣା ଜାରି କରିଥିଲା । କିନ୍ତୁ ଉଥାପ୍ପା ମ୍ୟାଚ୍ ଚାଲିଥିବା ବେଳେ ବଲ୍ରେ ଛେପ ଲଗାଇଥିବା ନଜର ଆସିଥିଲେ ।
ମ୍ୟାଚର ତୃତୀୟ ଓଭରରେ ଜୟଦେବ ଉନାଦକତଙ୍କ ଏକ ବଲରେ ଉଥାପ୍ପା ସୁନୀଲ ନରିନଙ୍କ କ୍ୟାଚ୍ ହାତଛଡା କରିଥିଲେ। କ୍ୟାଚ୍ ଛାଡିବା ପରେ ଉଥାପ୍ପା ବଲରେ ଛେପ ଲଗାଇଥିଲେ । ଆଇସିସିର ନିୟମାନୁସାରେ, ଏପରି କରିବା ପରେ ଦଳକୁ ଦୁଇଟି ଚେତାବନୀ ଦିଆଯାଇଥାଏ । ଏହାପରେ ଯଦି ଛେପ ଲଗାଉଥିବା ଦେଖିବାକୁ ମିଳେ ତେବେ ବିପକ୍ଷ ଟିମ୍କୁ ଅତିରିକ୍ତ ୫ ରନ୍ ମିଳିଥାଏ । ଉଥାପ୍ପାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହି ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ ୩୭ ରନ୍ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି କୋଲକାତା ୨ ଓଭରରେ ୧୭୪ ରନ୍ କରିଥିଲା । ଏହାର ଜବାବରେ ରାଜସ୍ଥାନ ୧୩୭ ରନ୍ରେ ଅଟକି ଯାଇଥିଲା ।
ଚଳିତ ସିଜିନରେ ରାଜସ୍ଥାନର ଏହା ପ୍ରଥମ ପରାଜୟ । ତେବେ କୋଲକାତା ନିତର ତିନୋଟି ମ୍ୟାଚରୁ ଦୁଇଟିରେ ବିଜୟ ଲାଭ କରିଛି । କୋଲକାତାର ସମସ୍ତ ବୋଲର ଭଲ ପ୍ରଦର୍ଶନ କରିଥିଲେ । କମଲେଶ ନାଗରକୋଟି ଓ ଶିବମ ମାବି ଦୁଇଟି ଲେଖାଏଁ ଓ୍ୱିକେଟ୍ ନେଇଥିଲେ । ସୁନିଲ ନରିନ, ପେଟ୍ କମିନ୍ସ ଓ କୁଳଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ୱିକେଟ୍ ଅକ୍ତିଆର କରିଥିଲେ ।