ହାଥରସ୍ କେସ୍: ଡିଜିପି-ଡିଏମ-ଏସଏସପିଙ୍କ ବିରୋଧରେ ରୁଜୁ ହେଉ ହତ୍ୟା ମାମଲା, ରାଜ୍ୟପାଳଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ

ହାଥରସ୍ ୦୧।୧୦: ଉତ୍ତର ପ୍ରଦେଶର  ହାଥରସ୍‌ ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶର ମାହୋଲ ରହିଛି। ନିଶାଣରେ ରହିଛନ୍ତି ଯୋଗୀ ଆଦିତ୍ୟନାଥ ସରକାର। ଏହା ମଧ୍ୟରେ ମାମଲାକୁ ନେଇ ପୋଲିସ ବିଭାଗକୁ ଅଭିଯୁକ୍ତ ଦର୍ଶାଇ ବିଜେପି ବିଧାୟକ ନନ୍ଦ କିଶୋର ଗୁର୍ଜର ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ବିଧାୟକ ପୋଲିସର ଉଚ୍ଚ ଅଧିକାରୀ ବିଭିନ୍ନ ରାଜନୈତିକ ଦଳ ସହିତ ମିଶି ବିଜେପି ଓ ଯୋଗୀ ସରକାରଙ୍କ ଛବିକୁ ମଳିନ କରୁଥିବା ଅଭିଯୋଗ କରିଛନ୍ତି।

ବିଧାୟକ ଲେଖିଛନ୍ତି ଦେଶରେ ଏହା ପ୍ରଥମ ଘଟଣା, ଯେଉଁଠି ପୋଲିସ ବିଭାଗର ଉଚ୍ଚ ଅଧିକାରୀଙ୍କ ଇସାରାରେ ପରିବାର ଲୋକଙ୍କ ଅଭିଯୋଗକୁ ଅଣଦେଖା କରି କାର୍ଯ୍ୟାନୁଷ୍ଠାନ କରାଯାଇଛି। ପୋଲିସ କେବଳ ସନାତନ ପରମ୍ପରାର ଉଲ୍ଲଂଘନ କରି ମୃତ ଦୁଷ୍କର୍ମ ପୀଡିତାଙ୍କ ଅନ୍ତିମ ସଂସ୍କାର ରାତିରେ କରାଇ ନାହିଁ ବରଂ ପରିଜନଙ୍କୁ ଅନ୍ତିମ ସଂସ୍କାର କରାଇବା, ମୃତକଙ୍କ କୋକେଇକୁ କାନ୍ଧ ଦେବା ପରି ମୌଳିକ ଅଧିକାର ବି ଛଡାଇ ନେଇଛି।

ବିଜେପି ନେତା କହିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସର୍ବଦା ସନାତନ  ଧର୍ମ ଓ ମୂଲ୍ୟର ରକ୍ଷା ପାଇଁ ସଂଘର୍ଷ କରିଛନ୍ତି। ଲକ୍ଷ୍ନୌରେ ବସିଥିବା ଉଚ୍ଚପଦସ୍ଥ ଅଧିକାରୀ ଓ ରାଜନୈତିକ ଦଳର ନେତା ସିଣ୍ଡିକେଟ୍ ଷଡଯନ୍ତ୍ର ଆଧାରରେ ଯୋଗୀ ସରକାରଙ୍କ ଛବିକୁ ମଳିନ କରିବାକୁ କୁତ୍ସିତ ପ୍ରୟାସ କରିଛନ୍ତି। ଏହି ସିଣ୍ଡିକେଟ୍ ବିଜେପିର ଦଳିତ ବିରୋଧୀ ଛବି ଗଢିବାକୁ ଉଦ୍ୟମ କରୁଛନ୍ତି।

ସେ ରାଜ୍ୟପାଳଙ୍କୁ ଗୁହାରି କରିଛନ୍ତି ଯେ, ପୋଲିସ ମହାନିର୍ଦ୍ଦେଶକ, ହାଥରସ ଜିଲ୍ଲାପାଳ ଓ ଏସଏସପି ସମେତ ମାମଲାରେ ସଂପୃକ୍ତ ଅନ୍ୟ ଅଧିକାରୀଙ୍କ ଉପରେ ହତ୍ୟା ମାମଲା ରୁଜୁ କରି ସେମାନଙ୍କୁ ଫାଷ୍ଟ ଟ୍ରାକ କୋର୍ଟରୁ ସଜା ଦିଅନ୍ତୁ।

Related posts

Leave a Comment