ଶ୍ରୀମନ୍ଦିର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ : ବିଭିନ୍ନ ସେବାୟତ ନିଯୋଗ ସହ ପ୍ରଶାସନର ଆଲୋଚନା, ପ୍ରଥମ ଦିନରେ ୪ଟି ନିଯୋଗଠାରୁ ମତାମତ ଗ୍ରହଣ

ପୁରୀ ୯।୧୦: ଶ୍ରୀମନ୍ଦିର ଖୋଲିବା ନେଇ ଭିଡିଓ କନ୍‌ଫରେନ୍ସିଂରେ ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆଜି ପ୍ରଥମ ଦିନରେ ୪ଟି ନିଯୋଗ ଠାରୁ ମତାମତ ସଂଗ୍ରହ ହୋଇଥିବା ବେଳେ ସେମାନେ କାର୍ତ୍ତିକ ମାସ ପରେ ଶ୍ରୀମନ୍ଦିର ଖୋଲିବାକୁ କହିଛନ୍ତି । ସେପଟେ ବର୍ତ୍ତମାନ ପରିସ୍ଥିତିରେ ଅରୁଣସ୍ତମ୍ଭ ପର୍ଯ୍ୟନ୍ତ ଭକ୍ତଙ୍କୁ ଅନୁମତି ଦେବାକୁ ଦାବି କରିଛି ଶ୍ରୀଜଗନ୍ନାଥ ସେନା ।

ସାଧାରଣ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ନେଇ ଆରମ୍ଭ ହୋଇଛି ପ୍ରଶାସନର ପ୍ରକ୍ରିୟା । ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କରିଛି ଶ୍ରୀମନ୍ଦିର ପ୍ରଶାସନ ।  ଆଜି ପ୍ରଥମ ଦିନରେ ୪ଟି ନିଯୋଗ ଠାରୁ ମତାମତ ଗ୍ରହଣ କରାଯାଇଛି । ଏଥିରେ ସୁଆର ମହାସୁଆର, ପ୍ରତିହାରୀ, ପୂଜାପଣ୍ଡା, ଖୁଣ୍ଟିଆ ନିଯୋଗ ସମେତ ପରିଚାଳନା କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେପଟେ ପୁରୀରେ ୫ଶହରୁ ଅଧିକ ସଂଖ୍ୟକ ସେବାୟତ କରୋନା ସଂକ୍ରମିତ ହୋଇଥିବାରୁ କାର୍ତ୍ତିକ ମାସ ପୂର୍ବରୁ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ନଖୋଲିବାକୁ ପ୍ରସ୍ତାବ ଦେଇଛନ୍ତି ଆଜିର ଆଲୋଚନାରେ ଭାଗ ନେଇଥିବା  ସେବାୟତମାନେ । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ପର୍ଯ୍ୟାୟକ୍ରମେ ସେବାୟତଙ୍କ ଅନ୍ୟ ନିଯୋଗ ସହ ଆଲୋଚନା କରାଯିବା ସହ ସେମାନଙ୍କ ମତାମତ ଗ୍ରହଣ କରାଯିବ । ୧୦ଦିନ ଭିତରେ ସମସ୍ତଙ୍କ ମତାମତ ସଂଗ୍ରହ କରାଯିବା ପରେ ସର୍ବସମ୍ମତି କ୍ରମେ ବର୍ତ୍ତମାନ ପରିସ୍ଥିତିରେ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲା ଯିବ କି ନାହିଁ  ତା’ର ନିଷ୍ପତ୍ତି ନିଆଯିବ ।

ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲା ଯିବା ପ୍ରସଙ୍ଗରେ ସମସ୍ତଙ୍କ ସହ ଆଲୋଚନା କରି ୧୦ଦିନ ଭିତରେ ରିପୋର୍ଟ ଦେବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏହାରି ଆଧାରରେ ଶ୍ରୀମନ୍ଦିର ଖୋଲିବା ନେଇ ସେବାୟତ ନିଯୋଗଗୁଡ଼ିକର ମତାମତ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ସେପଟେ ସାଧାରଣ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ଏବଂ ବର୍ତ୍ତମାନ ପରିସ୍ଥିତିରେ ଅରୁଣସ୍ତମ୍ଭ ପର୍ଯ୍ୟନ୍ତ ଯିବାକୁ ଭକ୍ତଙ୍କୁ ଅନୁମତି ଦେବା ଦାବିରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛି ଶ୍ରୀଜଗନ୍ନାଥ ସେନା । ଏହି ଦାବି ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯାଇ ଉଚିତ୍‌ ପଦକ୍ଷେପ ନିଆଯିବ ବୋଲି ପରିଚାଳନା କମିଟି ସଦସ୍ୟ କହିଛନ୍ତି ।

ଶ୍ରୀମନ୍ଦିର ଖୋଲିବା ନେଇ ସେବାୟତଙ୍କ ଭିତରେ ଭିନ୍ନ ମତ ପ୍ରକାଶ ପାଉଥିବାରୁ କାର୍ତ୍ତିକମାସ ପୂର୍ବରୁ ଯେ ସାଧାରଣ ଭକ୍ତଙ୍କୁ ଶ୍ରୀଜିଉଙ୍କ ଦର୍ଶନର ସୁଯୋଗ ମିଳିବ ତାକୁ ନେଇ ସଂଦେହ ସୃଷ୍ଟି ହୋଇଛି ।

Related posts

Leave a Comment