ଚୀନକୁ ଶାହଙ୍କ ଚେତାବନୀ

ନୂଆଦିଲ୍ଲୀ,୧୮|୧୦: ଭାରତୀୟ ସେନା ସବୁବେଳେ ଯୁଦ୍ଧ ପାଇଁ ପ୍ରସ୍ତୁତ ଥାଏ। ଚୀନ୍‌କୁ ଭାରତ ନିଜର ଇଞ୍ଚେ ଭୂମି ବି ଛାଡିବ ନାହିଁ। ପ୍ରତ୍ୟେକ ଦେଶ ସବୁ ସମୟରେ ଯୁଦ୍ଧ ପାଇଁ ପ୍ରସ୍ତୁତ ଥାଏ।ଏଥିପାଇଁ ତ ସେନା ରଖାଯାଇଥାଏ ବୋଲି କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ସେ କହିଛନ୍ତି ଯେ, ଯେତେବେଳେ ବି ଶତ୍ରୁ ଆକ୍ରମଣ କରିବ, ସିଏ ତାହାର ଜବାବ ଦେବ। ମୁଁ କାହା ବୟାନର ଜବାବରେ ଏହା କହୁନାହିଁ । କିନ୍ତୁ ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଭାରତୀୟ ସେନା ସବୁବେଳେ ଯୁଦ୍ଧ କରିବାକୁ ପ୍ରସ୍ତୁତ ରହିଥାଏ। ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ ଏହା ପ୍ରକାଶ କରିଛନ୍ତି।

ଶାହ ଆହୁରି କହିଛନ୍ତି ଯେ ଉଭୟ ଭାରତ ଓ ଚୀନ୍‌ର ସେନା ପରସ୍ପର ସହିତ ଆଲୋଚନା ଚଳାଇଛନ୍ତି। ଦୁଇ ଦେଶ ମଧ୍ୟରେ କୂଟନୈତିକ ସ୍ତରରେ ବି ଯୋଗାଯୋଗ କରାଯାଉଛି । ସେ ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ଏହା ଉପରେ ପ୍ରତିକ୍ରିୟା ଦେବା ଠିକ୍‌ ନୁହେଁ । କିନ୍ତୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପୂର୍ବରୁ ଦିଆଯାଇଥିବା ଏକ ବୟାନକୁ ଦୋହରାଇବାକୁ ଚାହାନ୍ତି ଯେ ଭାରତ କୌଣସି ପରିସ୍ଥିତିରେ ନିଜର ଇଞ୍ଚେ ବି ଭୂମି ଛାଡିବ ନାହିଁ। କିଛି ଦିନ ତଳେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ନିଜ ଦେଶର ସେନାକୁ ସମ୍ବୋଧନ କରି ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଥିଲେ।

ଲଦାଖରେ ଭାରତ ସହିତ ସୀମା ବିବାଦ ଲାଗି ରହିଥିଲାବେଳେ ଜିନ୍‌ପିଙ୍ଗ ଏପରି ବୟାନ ଦେଇଥିବାରୁ ସେ ଭାରତ ବିରୋଧରେ ଯୁଦ୍ଧ ପାଇଁ ସେନାକୁ ପ୍ରସ୍ତୁତି କରିବାକୁ କହିଥିବାର ମନେ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଶାହ ଏବେ ଉପରୋକ୍ତ ବୟାନ ଦେଇଛନ୍ତି।

Related posts

Leave a Comment