ନୂଆଦିଲ୍ଲୀ ୧୯।୧୦: କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି ଆଗାମୀ ମାସ ଫେବୃଆରୀ ସୁଦ୍ଧା ଦେଶରେ କରୋନା ଭାଇରସ୍ର ସକ୍ରିୟ ସଂଖ୍ୟା ହ୍ରାସ ପାଇ ୪୦ ହଜାରକୁ ଖସି ଆସିବ। ବଡ ବଡ ବୈଜ୍ଞାନିକଙ୍କ ଦ୍ଵାରା ହୋଇଥିବା ଗବେଷଣା ଆଧାରରେ କେନ୍ଦ୍ର ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।
ସ୍ଵାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ବିଜ୍ଞାନ ଓ ଅଦୌଗିକି ମନ୍ତ୍ରଣାଳୟ ଦୁନିଆର ଅନେକ ବଡ ବଡ ବୈଜ୍ଞାନିକଙ୍କ ସାହାଯ୍ୟରେ କରୋନା ଆକଳନ ମୋଡେଲ୍ ପ୍ରସ୍ତୁତ କରିଛି। ବୈଜ୍ଞାନିକଙ୍କ ଅଧ୍ୟୟନରୁ ଜଣା ପଡିଛି ଯେ, ଆଗାମୀ ତିନି ଚାରି ମାସରେ କରୋନା ସଂକ୍ରମଣ ହ୍ରାସ ପାଇବ। ୨୦୨୧ ଫେବୃଆରୀ ସୁଦ୍ଧା ଦେଶରେ କେବଳ ସକ୍ରିୟ କେସ୍ ସଂଖ୍ୟା ୪୦ ହଜାର ରହିବ।
ସ୍ଵାସ୍ଥ୍ୟ ମନ୍ତ୍ରୀ ଭ୍ୟାକସିନକୁ ନେଇ କହିଛନ୍ତି, ଭ୍ୟାକ୍ସିନେସନ, କର୍ମଚାରୀଙ୍କ ପ୍ରଶିକ୍ଷଣ ଓ ଅନ୍ୟ ଦିଗକୁ ନେଇ ସମୟ ଆସିଲେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରାଯିବ। ଆମର ଭରସା ଏହା ଯେ, ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣକୁ ବଢିବାକୁ ଦିଆଯିବ ନାହିଁ।
ଏହା ପୂର୍ବରୁ ନୀତି ଆୟୋଗର ସଦସ୍ୟ ଭିକେ ପଲ୍ ଥଣ୍ଡା ସମୟରେ ସଂକ୍ରମଣର ଦ୍ଵିତୀୟ ଲହର ଆଶଙ୍କାକୁ ଖଣ୍ଡନ କରି ନାହାନ୍ତି। ସେ ଏହା ମଧ୍ୟ କହିଛନ୍ତି ଯଦି ଗାଇଡ୍ଲାଇନ୍ ଅପଣାଯାଏ ତେବେ ୨୦୨୧ ଫେବୃଆରୀ ପର୍ଯ୍ୟନ୍ତ ଦେଶରେ କରୋନା ଭାଇରସ୍ ନିୟନ୍ତ୍ରଣରେ ରହିଯିବ।