କରୋନା ଉପରେ ଗବେଷଣା କଲେ ୧୪ବର୍ଷୀୟା ଭାରତୀୟ ବଂଶୋଦ୍ଭବ ଅନିକା

ନୂଆଦିଲ୍ଲୀ ୨୦/୧୦: କରୋନା ଭାଇରସର ଚିକିତ୍ସା ସାରା ବିଶ୍ବରେ ଖୋଜା ଚାଲିଛି। ଆମେରିକାରେ ଏକ ସଂସ୍ଥାରେ ଯୁବ ବୈଜ୍ଞାନିକଙ୍କ ପାଇଁ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ଯେଉଁଥିରେ ଭାରତୀୟ-ଆମେରିକୀୟ ମୂଳ ୧୪ବର୍ଷ ବୟସ୍କା ଅନିକା ଚେବ୍ରୋଲୁଙ୍କୁ କରୋନାର ଚିକିତ୍ସା ପାଇଁ କରାଯାଇଥିବା ରିସର୍ଚ୍ଚ ପାଇଁ ପୁରସ୍କାର ମିଳିଛି। ପ୍ରତିଯୋଗିତା ଜିତିବାରୁ ଅନିକାଙ୍କୁ ମୋଟ ୧୮ଲକ୍ଷରୁ ଅଧିକ ଟଙ୍କା ମିଳିଛି।

ଆମେରିକୀୟ ସଂସ୍ଥା​‌ 3ଏମ୍ ଦ୍ବାରା ଚଲାଯାଇଥିବା ୟଙ୍ଗ୍ ସାଇଣ୍ଟିଷ୍ଟ୍ ୨୦୨୦ରେ ଅନିକା କରୋନା ସଙ୍କଟରୁ ଲଢ଼ିବା ପାଇଁ ରିସର୍ଚ୍ଚ କରିଛନ୍ତି। ନିଜ ରିସର୍ଚ୍ଚରେ ଅନିକା ଏକ ମଲେକ୍ୟୁଲକୁ ବିକଶିତ କରିଛନ୍ତି ଯାହା କରୋନା ଭାଇରସ୍ ବିରୋଧରେ ଲଢ଼େଇରେ ସହାୟକ ସାବ୍ୟସ୍ତ ହୋଇଥାଏ

ଏହି ମଲେକ୍ୟୁଲ ସାହାଯ୍ୟରେ ଶରୀରରେ କରୋନା ଭାଇରସ୍ ଏକ ସ୍ପାଇକ୍ ପ୍ରୋଟିନରେ ବାନ୍ଧି ହୋଇପାରେ ଏବଂ ବ୍ୟାପିବାରୁ ରୋକା ଯାଇ ପାରିବ। ନିଜ ରିସର୍ଚ୍ଚରେ ଅନିକା ଭର୍ଚୁଆଲ୍ ଭାବେ ଏହାର ବ୍ୟବହାର ବିଷୟରେ କହିଛନ୍ତି ଏବଂ ରିସର୍ଚ୍ଚରେ ବୁଝାଇଛନ୍ତି ଯେ କିଭଳି ଏହି ମଲେକ୍ୟୁଲ୍ ଆଗକୁ ଯାଇ କାମ କରିବ ଏବଂ ଲୋକଙ୍କୁ ଫାଇଦା ପହଞ୍ଚାଇବ।

ଅନିକା ଏହା ପୂର୍ବରୁ କିଛି ଫ୍ଲୁ ଉପରେ କାମ କରୁଥିଲେ ଏବଂ ଏହି ରୋଗଗୁଡ଼ିକର ଚିକିତ୍ସା ଉପରେ ରିସର୍ଚ୍ଚ କରୁଥିଲେ। ଏହି ସମୟରେ ସେ କରୋନା ସଙ୍କଟକୁ ନେଇ ଆରମ୍ଭ ହୋଇଥିବା ପ୍ରତିଯୋଗିତାରେ ଭାଗ ନେଇଥିଲେ। ଅନିକା ଆମେରିକାର ଟେକ୍ସାସରେ ରୁହନ୍ତି।

କରୋନା ଭାଇରସର ଭ୍ୟାକ୍ସିନକୁ ଖୋଜିବାରେ ଏବେ ପୂରା ବିଶ୍ବ ଏକ ହୋଇଛି। ବିଶ୍ବରେ ପାଖାପାଖି ୧୦୦ଟି କୋଭିଡ ଭ୍ୟାକ୍ସିନ ଉପରେ କାମ ଚାଲିଛି,ଯାହା ଭିନ୍ନ ଭିନ୍ନ ଷ୍ଟେଜରେ ରହିଛି। ଏଥିରେ ଭାରତ,ରୁଷ,ଆମେରିକା,ଚୀନ,ୟୁରୋପ ଭଳି ଦେଶ ଲଗାତାର ନିଜ ଦେଶରେ ଭ୍ୟାକ୍ସିନ ଟ୍ରାୟଲ୍ କରୁଛନ୍ତି।

Related posts

Leave a Comment