ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍‌ଏସ୍‌ କୱରତ୍ତି

ନୂଆଦିଲ୍ଲୀ ୨୨/୧୦ : ଭାରତୀୟ ନୌସେନାରେ ସାମିଲ ହେଲା ବୁଡ଼ାଜାହାଜ ବିଧ୍ବଂସୀ  ଆଇଏନ୍‌ଏସ୍‌ କୱରତ୍ତି । ବିଶାଖାପାଟଣାରେ ଥିବା ନାଭାଲ୍‌ ଡକୟାର୍ଡରେଏହାକୁ ନୌସେନାରେ ସାମିଲ କରାଯାଇଛି । ସେପଟେ ରାଜସ୍ଥାନର ପୋଖରାନ୍‌ରେ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିସାଇଲ୍ ‘ନାଗ’ର ସଫଳ ପରୀକ୍ଷଣ କରାଯାଇଛି । ଚୀନ୍‌ ସହ ଭାରତର ତୁତୁମେଁମେଁ ଜାରି ଥିବା ବେଳେ ଏଭଳି ସମୟରେ ନାଗ ଶତ୍ରୁପକ୍ଷରୁ ସାବଧାନ କରାଇବ ନିଶ୍ଚୟ ।

ଶତ୍ରୁ ସାବଧାନ! ନିଦ ହଜାଇବ କୱରତ୍ତୀ । ଭାରତୀୟ ନୌସେନାରେ ସାମିଲ ହୋଇଛି ଏହି ସବ୍‌ମେରାଇନ୍‌ ବିଧ୍ୱଂସୀ ଯୁଦ୍ଧ ଜାହାଜ ଆଇଏନ୍ଏସ୍ କୱରତ୍ତି । ଆଜି ବିଶାଖାପାଟଣା ସ୍ଥିତ ନାଭାଲ୍ ଡକୟାର୍ଡରେ ଏହି ଯୁଦ୍ଧଜାହାଜକୁ ସାମିଲ କରିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ। ଆଇଏନ୍ଏସ କୱରତ୍ତୀ ହେଉଛି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଚତୁର୍ଥ ଆଣ୍ଟି ସବ୍‌ମେରାଇନ୍ ଯୁଦ୍ଧଜାହାଜ । ଏହାପୂର୍ବରୁ ଆଉ ୩ଟି ଏହିପରି ସବ୍‌ମେରାଇନ୍‌ ବିଧ୍ୱଂସୀ ଯୁଦ୍ଧଜାହାଜ ନୌସେନାରେ ସାମିଲ ହୋଇସାରିଛି । ଏହାର ନିର୍ମାଣରେ ୯୦ ପ୍ରତିଶତ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯାଇଛି ।

କୱରତ୍ତିର ମୁଭମେଣ୍ଟକୁ ରାଡାର ବି ଧରିପାରିବ ନାହିଁ। ୧୧୦ ମିଟର ଲମ୍ବ ଏବଂ ୧୪ ମିଟର ଚଉଡା ତଥା ୩୫୦୦ ଟନ୍ ଓଜନର କ୍ଷମତା ଥିବା ଆଇଏନ୍ଏସ୍ କଭରତ୍ତୀରେ ଆଣ୍ଟି ସବ୍‌ମେରିନ୍ ରକେଟ୍ ଏବଂ ଟର୍ପେଡୋ ଲଗାଯାଇଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏହି ଯୁଦ୍ଧଜାହାଜ ପରମାଣୁ, ରାସାୟନିକ ତଥା ଜୈବିକ ଯୁଦ୍ଧ ସ୍ଥିତିରେ କାର୍ଯ୍ୟ କରିପାରିବ । ସେହିପରି ଶତ୍ରୁ ପକ୍ଷର ହମ୍‌ଲାକୁ ମଧ୍ୟ ପ୍ରତିହତ କରିବା ପାଇଁ କୱରତ୍ତି ପାଖରେ ରହିଛି ଅପ୍ରତିଦ୍ବନ୍ଦ୍ବୀ କ୍ଷମତା ।

ସେପଟେ ସ୍ଥଳସେନା ପାଇଁ ବି ଆସିଛି ଖୁସି ଖବର । ଆଜି ସକାଳେ ରାଜସ୍ଥାନର ଐତିହାସିକ ପୋଖରାନ୍‌ରେ ଡିଆର୍‌ଡିଓ ଦ୍ବାରା ବିକଶିତ ଅତ୍ୟାଧୁନିକ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିସାଇଲ୍‌ ‘ନାଗ’ର ସଫଳ ପରୀକ୍ଷଣ ହୋଇଛି ।  ଏହି ମିସାଇଲ୍‌ ଯେକୌଣସି ଯୁଦ୍ଧ ଟ୍ୟାଙ୍କ କିମ୍ବା ଅନ୍ୟ ଭାରୀ ଯୁଦ୍ଧ ଯାନକୁ ନଷ୍ଟ କରିବାର କ୍ଷମତା ରଖିଛି ।

ଉଭୟ ସ୍ଥଳ ଏବଂ ଆକାଶ ପଥରୁ ବ୍ୟବାହରଯୋଗ୍ୟ ‘ନାଗ’ର ୪ଟି ୱିଙ୍ଗ ରହିଛି । ଏହା ଫୋଲ୍‌ଡେବୁଲ୍‌ । ଏହାର ଲମ୍ବ ୧.୮୫ ମିଟର, ବ୍ୟାସ-୦.୨୦ ମିଟର ଓ ଓଜନ ପାଖାପାଖି ୪୩ କିଲୋଗ୍ରାମ । ଏହାର ଗତି ସେକେଣ୍ଡ ପ୍ରତି ୨୪୦ ମିଟର ଓ ରେଞ୍ଜ ୫୦୦ ମିଟରରୁ ୭ କିମି ପର୍ଯ୍ୟନ୍ତ ରହିଛି ।  ଲକ୍ଷ୍ୟସ୍ଥଳକୁ ଚିହ୍ନଟ ଓ ଟ୍ରାକିଂ ପାଇଁ ଏଥିରେ ରହିଛି ରିୟଲଟାଇମ୍‌ ଇମେଜ ପ୍ରସେସର ଏବଂ  ଆଲଗୋରିଦିମ୍ । ଗତ ଦେଢମାସ ମଧ୍ୟରେ ଡିଆରଡିଓର ଏହା ହେଉଛି ଦ୍ବାଦଶ ସଫଳ ପରୀକ୍ଷଣ ।

Related posts

Leave a Comment