ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା ଆୟୋଜନ ହେବ ।

ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରାରେ ଭବାନୀପାଟଣା ସହରରେ ୩ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥାଏ । ହେଲେ ଚଳିତ ବର୍ଷ କୋଭିଡ୍ ପାଇଁ ପ୍ରଥମ ଥର ବିନା ଭକ୍ତରେ ଛତର ଯାତ୍ରା ପାଳନ ହେବ । ଏଥିପାଇଁ ୨୨ ତାରିଖ ମଧ୍ୟ ରାତ୍ରରୁ ଭବାନୀପାଟଣା ସହରକୁ ପ୍ରବେଶ ପାଇଁ କଟକଣା ରହିଥିବା ବେଳେ  ଛତର ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ସହରରେ ୧୪୪ ଧାରା ଲାଗୁ କରାଯାଇଛି ।

ଫଳରେ ଭକ୍ତଙ୍କ ମାଣିକେଶ୍ବରୀ ମନ୍ଦିର ଗେଟ୍ ସାମ୍ନାରେ ନିଜ ନିଜ ମନସ୍କାମନା ଅନୁଯାୟୀ ପଶୁ ଓ ପକ୍ଷୀର ବଳି ଛତର ପୂର୍ବରୁ ଦେଉଥିବା ଦେଖିବାକୁ ମିଳିଛି । ବିନା ଭକ୍ତରେ ଛତର ଯାତ୍ରା ଭକ୍ତଙ୍କୁ ନିରାଶ କରିଛି ନିଶ୍ଚିତ । ହେଲେ କୋଭିଡ୍ ମୁକାବିଲା ପାଇଁ ସାମାଜିକ ଦୂରତ୍ବକୁ ବି ଜନସାଧାରଣ ଉପଲବ୍ଧି କରୁଛନ୍ତି ।

ନବମୀ ମଧ୍ୟ ରାତ୍ରରେ ଭବାନୀପାଟଣା ରାଜପ୍ରସାଦ ପରିସର ସ୍ଥିତ ମା’ ମାଣିକେଶ୍ବରୀ ମନ୍ଦିରଠାରୁ ମା’ଙ୍କ ପ୍ରତୀକ ଛତର ସହରରୁ ତିନି କି.ମି. ଉପକଣ୍ଠ ଜେନାଖାଲକୁ ଯିବ । ଗୁପ୍ତ ସନ୍ଦି ପୂଜା ପରେ ଦଶମୀ ପ୍ରାତଃରେ ମା’ଙ୍କ ଛତର ଭକ୍ତଙ୍କ ଗହଣରେ ମୂଳ ଆସ୍ଥାନ ମାଣିକେଶ୍ବରୀ ମନ୍ଦିରକୁ ପ୍ରତ୍ୟାବର୍ତନ କରିବେ । ଯାହାକୁ ଛତର ଯାତ୍ରା କୁହାଯାଏ ।

ଏହି ସମୟରେ ଲକ୍ଷାଧିକ ଭକ୍ତ ମନସ୍କାମନା ଅନୁଯାୟୀ ରାସ୍ତା ଉଭୟ ପାର୍ଶ୍ବରେ ପଶୁ ଓ ବଳିର ପରମ୍ପରା ପାଳନ କରନ୍ତି । ହେଲେ ପ୍ରଥମ ଥର କରୋନା ପାଇଁ ବିନା ଭକ୍ତରେ ମା’ଙ୍କ ଛତର ମାତ୍ର ୨୦ ଜଣ ସେବାୟତ ଓ ପାରମ୍ପରିକ ଜେନାବାଦ୍ୟ ମଧ୍ୟରେ ମା’ ମାଣିକେଶ୍ବରୀ ମନ୍ଦିରକୁ ବିଜେ କରିବେ । ଯାହାକୁ ସହଯୋଗ ପାଇଁ କଳାହାଣ୍ଡି ଜିଲ୍ଲାପାଳ କଳାହାଣ୍ଡିବାସୀଙ୍କୁ ନିବେଦନ କରିଛନ୍ତି ।

ମାଣିକେଶ୍ବରୀଙ୍କ ଛତର ଯାତ୍ରାରେ ବଳି ପ୍ରଥା ବିତର୍କର ପ୍ରସଙ୍ଗ ସାଜିଥିବା ବେଳେ ଚଳିତ ବର୍ଷ ବଳିକୁ ନେଇ ହାଇକୋର୍ଟର କଟକଣା ଉପରେ ସୁପ୍ରିମକୋର୍ଟର ରହିତାଦେଶ ରହିଛି । ଏଣୁ ଛତର ଯାତ୍ରାରେ ସାମିଲରୁ ବଞ୍ଚିତ ଭକ୍ତ କିଭଳି ବଳି ପରମ୍ପରାକୁ ବଜାୟ ରଖିବେ ତାକୁ ନେଇ ସମସ୍ତଙ୍କ ନଜର ରହିଛି ।

Related posts

Leave a Comment