ମା’ ଆସିଲେ : ଭକ୍ତ ବ୍ୟାକୁଳ, ବାଟ ଓଗାଳିଛି କରୋନା

କନକ ବ୍ୟୁରୋ : ଉତ୍ସବ ନେଇ ଅଶିଣ ଆସିଛି । କାଶତଣ୍ଡୀରେ ପରିବେଶ ନୂଆନୂଆ ଲାଗୁଛି । ମା’ବି ଧରାବତରଣ କରିସାରିଛନ୍ତି । ହେଲେ ଝଲସୁନି ରଙ୍ଗିନ ଆଲୁଅମାଳା । ସୁଦୃଶ୍ୟ ତୋରଣକୁ ନେଇ ଜମୁନି ପ୍ରତିଯୋଗିତା । ଗହଳିରେ ଫାଟି ପଡ଼ୁନି ମୀନା ବଜାର । ଦୋଳିର କେଁ କଟର ସାଙ୍ଗକୁ ଶୁଭୁନି ପିଲାଙ୍କ କୋଳାହଳ । ପୂଜା ହେଉଛି, ମା’ ବିରାଜିଛନ୍ତି । ହେଲେ ସବୁ ନିରବ, ନିଶ୍ଚଳ ଓ ଶୂନଶାନ୍… ପୂଜା ପାଖେଇଲେ ଯୋଜନାର ଲମ୍ବା ତାଲିକା ପ୍ରସ୍ତୁତ‌ ହୋଇଯାଏ । ‌ଯିଏ ଯେଉଁଠି ଥାଏ, ସାଙ୍ଗ ସାଥୀଙ୍କ ସହ ବୁଲିବାର ଖସଡ଼ା ତିଆରି କରି ଜନ୍ମମାଟିକୁ ଫେରିଆସେ। କେଉଁଦିନ କେଉଁ ମେଢ଼ ‌ବୁଲି ଦେଖିବେ ସେନେଇ ଯୋଜନା ତିଆରି ହୁଏ। ହେଲେ କରୋନା ଏଥର ବାଟ ଓଗାଳିଛି ।

ରାଜଧାନୀର ରାସ୍ତାକଡ଼ ସବୁଦିନିଆ ହାଉଜାଉ ବଜାର । ବ୍ରାଣ୍ଡେଡ୍‌ ଜିନିଷଠୁ ନେଇ ଖାଉ ଗଳି ଯାଏ ସବୁକିଛି ଏଠାରେ ଉପଲବ୍ଧ । ତଥାପି ପୂଜା ମଣ୍ଡପ ନିକଟ ମୀନାବଜାରର ଚାଲୁ ଜିନିଷ ମାୟା ଲଗାଉଥିଲା । ପାଶ୍ଚାତ୍ୟ ଖାଦ୍ୟର ମୋହରୁ ବାହାରି ଅନେକ ଦେଶୀ ଖାଦ୍ୟର ମଜା ନେବାକୁ ମେଳାକୁ ହିଁ ବାଛୁଥିଲେ। ବେଲୁନ୍‌ ବାଲାଏ ଆସି ବିଭିନ୍ନ ପୂଜା ମଣ୍ଡପରେ ପସରା ମେଲାଇ ମୋଟା ଅଙ୍କର ରୋଜଗାର ପାଇ ପ୍ରସ୍ତୁତି କରୁଥିଲେ । ଚାଟ୍‌ଠୁ ନେଇ ହରେକ୍‌ ମାଲ୍‌ ଯାଏ ସବୁକିଛି ଷ୍ଟଲ୍‌ରେ ପରିପୂର୍ଣ୍ଣ ହୋଇଯାଉଥିଲା। କାହା ପାଇଁ ଏହା ରୋଜଗାର ଆଣି ଦେଉଥିଲା ତ, ପୁଣି କାହା ପାଇଁ ମନୋରଂଜନର ପସରା ମେଲିଦେଉଥିଲା। ହେଲେ ଏଥର ସବୁ ଫିକା ।

Related posts

Leave a Comment