ବେଜିଂ ୨୫।୧୦: ଭାରତ ଓ ଆମେରିକା ମଧ୍ୟରେ ମଙ୍ଗଳବାର ଦିଲ୍ଲୀରେ ହେବାକୁ ଯାଉଥିବା ବୈଠକ ଚୀନ୍ର ନିଦ ହଜେଇ ଦେଇଛି। ଟୁ ପ୍ଲସ୍ ଟୁ ବୈଠକର ଉଦ୍ଦେଶ୍ୟ ଅନୁସନ୍ଧାନ କରି ଭାରତର ଜାତୀୟ ସାମର୍ଥ୍ୟ ବୃଦ୍ଧି ହେଉଥିବା ସହ ଅନ୍ତର୍ଜାତୀୟ ସ୍ତରରେ ସ୍ଥିତି ମଜଭୁତ କରୁଥିବା ଚୀନ୍ କହିଛି। ତେବେ ଆମେରିକାର ସାମର୍ଥ୍ୟ ହ୍ରାସରେ ଉତ୍ଥାନମୁଖୀ ଭାରତ ଲାଭବାନ ହେବା ନିଶ୍ଚିତ ବୋଲି ମଧ୍ୟ କହିଛି।
ଚୀନ୍ ସରକାରୀ ମୁଖପତ୍ର ଗ୍ଲୋବାଲ ଟାଇମ୍ସ ଟୁ ପ୍ଲସ୍ ଟୁ ବୈଠକକୁ ନେଇ ଏକ ସ୍ତମ୍ବ ପ୍ରକାଶିତ କରିଛି। ଯେଉଁଥିରେ ବୈଠକର ସମ୍ଭାବିତ ବେସିକ୍ ଏକ୍ସଚେଞ୍ଜ ଏଣ୍ଡ କୋ-ଅପରେସନ ଏଗ୍ରିମେଣ୍ଟ(ବିଇସିଏ)କୁ ନେଇ ତଥ୍ୟମୂଳକ ବିଶ୍ଲେଷଣ କରାଯାଇଛି। ଫୁଦାନ ୟୁନିଭର୍ସିଟିରେ ସାଉଥ ଏସିୟାନ ଷ୍ଟଡିଜ ଡାଇରେକ୍ଟର ଓ ଆମେରିକା ଷ୍ଟଡିଜ୍ ସେଣ୍ଟରର ପ୍ରଫେସର ଝାଙ୍ଗଜିଆ ଡୋଙ୍ଗ ଆମେରିକା ଓ ଭାରତ ମଧ୍ୟରେ ସମ୍ପର୍କ କ୍ରମଶଃ ନିବିଡ ହେଉଥିବା ଉଲ୍ଲେଖ କରିଛନ୍ତି।
ଏଥିରେ ଆମେରିକା ଓ ଭାରତ ଉଭୟ ଦେଶରେ କରୋନା ଭାଇରସ ମହାମାରୀ ଏବେ ପ୍ରକୋପ କରୁଥିବା ବେଳେ ଏହା ଏକମୁହାଁ ମୁହିଁ ବୈଠକ। ଏଥିରେ ଯୋଗଦେବାକୁ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପମ୍ପେୟୋ ନିଜେ ନୂଆଦିଲ୍ଲୀ ଆସିବା ବୈଠକର ଗୁରୁତ୍ୱକୁ ପ୍ରମାଣିତ କରେ ବୋଲି ଗ୍ଲୋବାଲ ଟାଇମ୍ସ ଉଲ୍ଲେଖ କରିଛି। ତେବେ ଏହି ଗସ୍ତକାଳରେ ପମ୍ପେୟୋ ଯଦିଓ ଶ୍ରୀଲଙ୍କା, ମାଲଦ୍ୱୀପ ଓ ଇଣ୍ଡୋନେସିଆ ବି ଯିବେ। ହେଲେ ଭାରତ-ପ୍ରଶାନ୍ତ କ୍ଷେତ୍ରକୁ ନେଇ ଆମେରିକା କେତେ ଆଶାବାଦୀ ତାହା ପମ୍ପେୟୋଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରୁ ସ୍ପଷ୍ଟ ହୋଇଯାଉଛି।
ତେବେ ସବୁଠରୁ ବଡ଼ କଥା ହେଉଛି ବୈଠକର ସମୟ। ଏହି ବୈଠକ ଏପରି ଏକ ସମୟରେ ଅନୁଷ୍ଠିତ ହେବାକୁ ଯାଉଛି ଯେତେବେଳେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ। ଏଭଳି ସମୟରେ ଭାରତ ଓ ଆମେରିକାର ଏପରି କୂଟନୈତିକ ଗତିବିଧି ଆମେରିକା ଲାଗି ଭାରତର ଗୁରୁତ୍ୱକୁ ପ୍ରମାଣିତ କରୁଛି ବୋଲି ଉଲ୍ଲେଖ କରିଛି।
ଏହା ଛଡା ଚୀନ୍ ଲାଗି ଯାହା ଦେଖିବାର କଥା ତାହା ହେଉଛି ଏବେ ସୀମାରେ ଭାରତ ସହ ଉତ୍ତେଜନା ଲାଗି ରହିଥିବା ବେଳେ ବୈଠକ ହେଉଛି। ଏଥିରୁ ଉଭୟ ଦେଶଙ୍କ ସ୍ପଷ୍ଟ ଲକ୍ଷ ଏବେ ଚୀନ୍ ବୋଲି ପ୍ରମାଣିତ ହେଉଛି। ଯେଉଁଥିରୁ ଚୀନ୍କୁ ଖୁବ୍ ଶୀଘ୍ର କୂଟନୈତିକ ଦୃଷ୍ଟିରୁ ଆମେରିକା ଓ ଭାରତକୁ ନେଇ ନିଜର କୂଟନୈତିକ ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ପଡିବ। ଏଣୁ ବେଜିଂକୁ ନୂଆଦିଲ୍ଲୀ ଲାଗି ନୂଆ ନୀତି ଲାଗୁ ନିମନ୍ତେ ନୂଆ ରାସ୍ତା ତଲାସ କରିବାକୁ ପଡିବ।
କେବଳ ଏତିକି ନୁହେଁ ମୁଖପାତ୍ର ଆଗକୁ ହେବାକୁ ଯାଉଥିବା ମାଲବାର ନୌସେନା ଅଭ୍ୟାସ ନେଇ ମଧ୍ୟ ଉଲ୍ଲେଖ କରିଛି। ଯେଉଁଥିରେ ଭାରତ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ମଧ୍ୟ ଅଂଶ ଗ୍ରହଣ କରିବେ। ଯେଉଁଥିରୁ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ସୁରକ୍ଷାର ରଣନୀତି ପରିବର୍ତ୍ତନ ସୂଚନା ମିଳୁଥିବା ଉଲ୍ଲେଖ କରାଯାଇଛି। ଏଥିରୁ ଭାରତ ଓ ଆମେରିକା ସୈନ୍ୟ ସହଯୋଗ ବୃଦ୍ଧିର ସଂକେତ ମଧ୍ୟ ମିଳୁଥିବା ଆଶଙ୍କା କରାଯାଉଛି।
ତେବେ ଯାହାବି ହେଉ ଭାରତ-ଆମେରିକା ସମ୍ପର୍କ କ୍ରମଶଃ ମଜଭୁତ ହେଉଛି। ଯାହାର ପରିବର୍ତ୍ତନର ପ୍ରଭାବ ଭାରତ ଲାଗି ଲାଭକାରୀ ସାବ୍ୟସ୍ତ ହେବ। ଭାରତ ଏବେ ନିଜକୁ ଅନ୍ୟତମ ମହାଶକ୍ତି ଭାବେ ସ୍ଥାପିତ କରିବାକୁ ଚାହୁଁଛି । ଏଥିରେ ଆମେରିକା ସମ୍ପର୍କ ଭାରତର ନୂଆ ଭବିଷ୍ୟତ ଲେଖିବ। ଭାରତ ଆହୁରି ଅଧିକ ଶକ୍ତିଶାଳୀ ହେବାକୁ ଚାହୁଁଥିବା ବେଳେ ଏବେ ଅନ୍ୟ କୌଣସି ବୈଶ୍ୱିକ ପ୍ରତିଦ୍ୱନ୍ଦ୍ୱୀଙ୍କ ଅଧୀନରେ ରହି ନପାରେ ବୋଲି ଲେଖକ ସ୍ପଷ୍ଟ ଅନୁମାନ କରିଛନ୍ତି।
କୋଲ୍ଡୱାର ଦିନମାନଙ୍କରେ ଆମେରିକା ଓ ସୋଭିଏତ ସଂଘଠାରୁ ଭାରତ ନିଜକୁ ସୁରକ୍ଷିତ ଦୂରରେ ରଖିଥିଲା। ତେବେ କିଛି ପର୍ଯ୍ୟନ୍ତ ଋଷିଆ ପ୍ରତି ଢଳି ରହୁଥିଲା। ଏବେ ଭାରତ ଏହି ସମୟରୁ ବହୁତ ଆଗକୁ ବାହାରି ଯାଇଛି। ତେବେ ସବୁ ମହାଶକ୍ତିଙ୍କ ସହ ବନ୍ଧୁତ୍ୱ, ସହଯୋଗ ଓ ନିରପେକ୍ଷତା ରକ୍ଷା କରିବା ଭାରତ ଲାଗି ହୀତକର ସାବ୍ୟସ୍ତ ହେବ। ଯାହା ଭାରତର ମୂଳ ମନ୍ତ୍ର ବୋଲି ଲେଖକ କହିଛନ୍ତି। ତେବେ ତମାମ ମାମଲାରେ ଭାରତ ଆମେରିକା ଉପରେ ମଧ୍ୟ ଏତେଟା ନିର୍ଭରଶୀଳ ରହି ନପାରେ ବୋଲି ଲେଖକ ଆଶଙ୍କା ପ୍ରକାଶ କରିଛନ୍ତି।