ପଞ୍ଜାବର ବିଜୟ ଅଭିଯାନ ଜାରି

ଦୁବାଇ, ୨୬।୧୦:   ଆଇପିଏଲର ୪୬ ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୮ ଓ୍ୱିକେଟରେ ପରାସ୍ତ କରିଛି କିଙ୍ଗସ୍ ଏକାଦଶ ପ଼ଞ୍ଜାବ । କେକେଆର ତରଫରୁ ଧାର୍ଯ୍ୟ ୧୫୦ ରନର ବିଜୟ ଲକ୍ଷ୍ୟକୁ ପଞ୍ଜାବ ୧୮.୫ ଓଭରରେ ମାତ୍ର ଦୁଇଟି ଓ୍ୱିକେଟ୍ ହରାଇ ହାସଲ କରିନେଇଥିଲା । ଏହି ବିଜୟ ସହ ପଞ୍ଜାବ ପ୍ଲେ ଅଫରେ ଖେଳିବା ଆଶାକୁ ଉଜ୍ଜୀବିତ ରଖିଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କେକେଆର ଶୁଭମନ ଗିଲଙ୍କ ୫୭ ଓ ଇଆନ ମୋର୍ଗାନଙ୍କ ୪୦ ରନ୍ ବଳରେ ୯ ଓ୍ୱିକେଟ ହରାଇ ନିର୍ଧାରିତ ୨୦ ଓଭରରେ ୧୪୯ ରନ୍ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଲୋକି ଫର୍ଗ୍ୟୁସନ ୨୪ ରନ୍ କରିଥିଲେ । ପଞ୍ଜାବ ପକ୍ଷରୁ ମହମ୍ମଦ ସାମି ୩ଟି ଓ୍ୱିକେଟ୍ ନେଇଥିବା ବେଳେ କ୍ରିସ ଜୋର୍ଡନା ଓ ରବି ବିଶ୍ନୋଇ ୨ଟି ଲେଖାଏଁ ଓ୍ୱିକେଟ କରିଥିଲେ ।

୧୫୦ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପଞ୍ଜାବ ସହଜରେ ମ୍ୟାଚ୍ ଜିତି ନେଇଥିଲା । କ୍ରିସ ଗେଲ୍ ଓ ମନଦୀପ ସିଂଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଦଳ ୮ ଓ୍ୱିକେଟରେ ମ୍ୟାଚ୍ ଜିତିନେଇଛି । ଗେଲ୍ ୫୧ ରନ୍ କରି ଆଉଟ ହୋଇଥିବା ବେଳେ ମନଦୀପ ୬୬ ରନ୍ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କେଏଲ ରାହୁଲ ୨୮ ରନ୍ କରିଥିଲେ । ଦଳ ୧୮.୫ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।

କେକେଆର ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଓ ଲକି ଫର୍ଗ୍ୟୁସନ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

Related posts

Leave a Comment