ରାଜଧାନୀରେ ବଟି ଆଦାୟ କରି ୬ ନକଲି ସାମ୍ବାଦିକ ଗିରଫ

ଭୁବନେଶ୍ବର୨୬/୧୦:  ରାଜଧାନୀରେ ବଟି ଆଦାୟ କରି ୬ ନକଲି ସାମ୍ବାଦିକ ଗିରଫ । ଏମାନେ ଖଣ୍ଡଗିରି ଅଂଚଳରେ ଥିବା ଏକ ଘିଅ କମ୍ପାନୀ ମାଲିକଙ୍କୁ ଧମକାଇ ୧ଲକ୍ଷ ୬୪ହଜାର ଟଙ୍କା ବଟି ନେଇଥିବା ଅଭିଯୋଗ ହୋଇଥିଲା । ଗିରଫ ଅଭିଯୁକ୍ତମାନେ ଓ୍ବେବ୍ ଚ୍ୟାନେଲ ଖୋଲି ଏଭଳି କଳା କାରନାମା ଚଳାଇଥିଲେ । ଫେରାର୍‌ ଆଉ ୩ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୋଲିସ ।

ନକଲି ସମ୍ବାଦିକ ସାଜି ଚଳାଇଥିଲେ ବଟି ଆଦାୟ । ୬ଜଣଙ୍କୁ ମାଡ଼ି ବସିଲା ସ୍ପେଶାଲ ସ୍କ୍ବାର୍ଡ଼ । ପୂଜା ବଜାରରେ ପକେଟ୍‌ ଗରମ୍‌ କରିବାକୁ ବୁମ୍‌, କ୍ୟାମେରା, ଆଇ କାର୍ଡ଼ ଧରି ଚଳାଇଥିଲେ କଳା କାରନାମା । ଗିରଫ ଅଭିଯୁକ୍ତମାନେ ଭୁବନେଶ୍ବର ଖଣ୍ଡଗିରି ଅଂଚଳରେ ଏକ ଘିଅ କମ୍ପାନୀ ମାଲିକଙ୍କ ଠାରୁ ୧ ଲକ୍ଷ ୬୪ହଜାର ଟଙ୍କା ବଟି ନେଇଥିବା ଅଭିଯୋଗ ହୋଇଥିଲା । ବଟି ନଦେଲେ କମ୍ପାନୀ ବିରୋଧରେ ଖବର ପରିବେଷଣ କରିବାର ଧମକ ଦେଇ ଟଙ୍କା ହଡ଼ପ କରିଥିଲେ । ପ୍ରଥମେ ଫୋନ୍‌ ପେ ମାଧ୍ୟମରେ ୧ଲକ୍ଷ ୩୦ହଜାର ଟଙ୍କା ଏବଂ ପରେ ନଗଦ ୩୪ହଜାର ଟଙ୍କା ସଂପୃକ୍ତ ଘିଅ କମ୍ପାନୀ ମାଲିକଙ୍କ ଠାରୁ ଉଠାଇଥିଲେ ଗିରଫ ଅଭିଯୁକ୍ତମାନେ।

ବିଭିନ୍ନ ନାଁରେ ଓ୍ବେବ୍‌ ଚାନେଲ୍‌ ଖୋଲି ରାଜଦାନୀରେ ଅନେକ ଲୋକଙ୍କ ଠାରୁ ଏଭଳି ନକଲି ସାମ୍ବାଦିକମାନେ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଆସୁଥିଲା । ଦାଦାବଟି ବିରୋଧରେ ସ୍ପେଶାଲ୍‌ ଡ୍ରାଇଭ୍‌ ଚଳାଇଥିବା କମିଶନରେଟ୍‌ ପୋଲିସ ଏଭଳି ଘଟଣାକୁ ଗୁରତର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ୨ଟି କାର୍‌, ନଗଦ ଟଙ୍କା, ମିଛ ସାମ୍ବାଦିକ ପରିଚୟ ପତ୍ର ଆଦି ଜବତ କରିବା ସହ  ଘଟଣାରେ ସଂପୃକ୍ତ ଆଉ ୩ଜଣଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ପୋଲିସ ।

ସୋସିଆଲ୍‌ ମିଡିଆରେ ଏମିତି ମାଳ ମାଳ ଓ୍ବେବ୍‌ ଚାନେଲ ଚାଲିଥିବା ଦେଖିବାକୁ ମିଳୁଛି । ସାମ୍ବାଦିକତା ନାଁରେ କାହାର ବ୍ୟକ୍ତିଗତ ଚରିତ୍ର ସଂହାର କରିବା ବେମତଲବ କାହାକୁ ସୁହାଇଲା ଭଳି ଖବର ପ୍ରସାରଣ କରିବା, ବେଧଡ଼କ ଭାବେ କାହାର ମାନହାନୀ କରିବା ଭଳି ମିଛ ଖବର ପ୍ରସାରଣ କରାଯାଇ ଲୋକଙ୍କୁ ବିଭ୍ରାନ୍ତି କରିବାର ଅପଚେଷ୍ଟା କରାଯାଉଛି । ବର୍ତ୍ତମାନ ପରିସ୍ଥିତିରେ ନକଲି ସାମ୍ବାଦିକ ସାଜି ବଟି ଆଦାୟ ଭଳି ଘଟଣା ସାମ୍ନାକୁ ଆସିବା ପରେ ଏସବୁ ଓ୍ବେବ୍‌ ଚାନେଲ୍‌ ଉପରେ ରାଜ୍ୟ ସରକାର ଅଙ୍କୁଶ ଲଗାଇବା ଜରୁରୀ ହୋଇପଡ଼ିଛି ।

Related posts

Leave a Comment