ଟସ୍ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ, ପ୍ରଥମେ କରିବ ବ୍ୟାଟିଂ

ଆବୁଧାବି,୦୮।୧୧: ଆଜି ଚଳିତ ଆଇପିଏଲ୍‌ର ଦ୍ୱିତୀୟ କ୍ୱାଲିଫାୟରରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ । ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀର ଅଧିନାୟକ ଶ୍ରେୟସ ଆୟାର ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ବୋଲିଂ କରିବ ହାଇଦ୍ରାବାଦ ।

ଫାଇନାଲ୍‌ରେ ପ୍ରବେଶ ପାଇଁ  ଉଭୟ ଦଳ ପାଇଁ ଏହା ଶେଷ ସୁଯୋଗ। ତେଣୁ ଆଜିର ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଉଭୟ ଦଳ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ। ସନ୍‌ରାଇଜର୍ସ ତୃତୀୟ ଥର ଆଇପିଏଲ୍‌ ଫାଇନାଲ୍‌ରେ ପ୍ରବେଶ ଲକ୍ଷ୍ୟରେ ରହିବ। ପୂର୍ବରୁ ଦଳ ୨୦୧୬ରେ ଚମ୍ପିଆନ୍‌ ହୋଇଥିବା ବେଳେ ୨୦୧୮ରେ ରନର୍ସ ଅପ୍‌ ହୋଇଥିଲା । ଅନ୍ୟ ଦିଗରେ କ୍ୟାପିଟାଲ୍ସ ପାଇଁ ପ୍ରଥମ ଥର ଫାଇନାଲ୍‌ରେ ପ୍ରବେଶ କରିବାର ସୁଯୋଗ ରହିଛି। ତେଣୁ ଦଳ ଏହି ସୁଯୋଗର ହାତଛଡ଼ା କରିବାକୁ କଦାପି ଚାହିଁବନି ।

ଡେଭିଡ୍‌ ୱାର୍ଣ୍ଣରଙ୍କ ନେତୃତ୍ୱାଧିନ ସନ୍‌ରାଇଜର୍ସ ପ୍ରଥମ ପର୍ଯ୍ୟାୟ ଲିଗ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ଅବିଶ୍ୱସନୀୟ ପ୍ରତ୍ୟାବର୍ତ୍ତନ କରିଥିଲା। ଦଳ କ୍ରମାନ୍ୱୟରେ ଶେଷ ୩ଟି ଲିଗ୍‌ରେ ବିଜୟୀ ହୋଇ ପ୍ଲେ-ଅଫ୍‌ ସ୍ଥାନ ପକ୍କା କରିଥିଲା। ଏଲିମିନେଟରରେ ମଧ୍ୟ ଆଧିପତ୍ୟ ଜାରି ରଖି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୬ ୱିକେଟ୍‌ରେ)କୁ ବିଦା କରିଥିଲା। ଏହି ପ୍ରଦର୍ଶନ ଦଳୀୟ ଖେଳାଳିଙ୍କ ଆତ୍ମବିଶ୍ୱାସ୍‌ ଦ୍ୱିଗୁଣିତ କରିଛି। କ୍ୟାପିଟାଲ୍ସ ବିପକ୍ଷରେ ସନ୍‌ରାଇଜର୍ସ ପଲା ଭାରି ରହିବ । ୱାର୍ଣ୍ଣରଙ୍କ ଚମତ୍କାର ଫର୍ମ, ଜାସନ ହୋଲ୍ଡରଙ୍କ ଅଲରାଉଣ୍ଡ ସୋ’ ଏବଂ ରସିଦ୍‌ ଖାନ୍‌ଙ୍କ ଯାଦୁକରୀ ସ୍ପିନ ସମ୍ପ୍ରତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ୱାର୍ଣ୍ଣର ୪ଟି ଅର୍ଦ୍ଧଶତକ ସହ ୫୪୬ରନ୍‌ କରି ଦ୍ୱିତୀୟ ସର୍ବାଧିକ ରନ୍‌ ହାସଲକାରୀ ରହିଛନ୍ତି ।

ଦଳକୁ ପ୍ଲେ-ଅଫ୍‌ରେ ପହଞ୍ଚାଇବାରେ ୱିକେଟ୍‌ କିପର ରିଦ୍ଧିମାନ ଶାହାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। କିନ୍ତୁ ସେ ଆହତ ଥିବାରୁ ପ୍ରଥମ କ୍ୱାଲିଫାୟର ଖେଳିନଥିଲେ। ଆଜି ମଧ୍ୟ ସେ ଖେଳିନପାରନ୍ତି। ତାଙ୍କ ସ୍ଥାନରେ ସୁଯୋଗ ପାଇଥିବା ଶ୍ରୀବତ୍ସ ଗୋସ୍ୱାମୀ ନିରାଶ କରିଥିଲେ। ତଥାପି ଦଳ ତାଙ୍କ ଉପରେ ଭରସା ଦେଖାଇଛି। ମଧ୍ୟଭାଗରେ ମନୀଷ ପାଣ୍ଡେ, କେନ୍‌ ୱିଲାମସନ୍‌ ଓ ପ୍ରିୟମ ଗର୍ଗ ଦଳ ଆବଶ୍ୟକ ଅନୁଯାୟୀ ଭଲ ପ୍ରଦର୍ଶନ ଦେଇଛନ୍ତି। ହୋଲ୍ଡରଙ୍କ ଉପସ୍ଥିତି ଦଳ ପାଇଁ ଆଶୀର୍ବାଦ ସଦୃଶ ରହିଛି । ସେ ୬ଟି ମ୍ୟାଚ୍‌ରୁ ୧୩ଟି ୱିକେଟ୍‌ ନେଇ ସାରିଥିବାବେଳେ ବ୍ୟାଟିଂରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ସେହିପରି ରସିଦ୍‌ ଓ ପେସ୍‌ ବୋଲର ଟି. ନଟରାଜନ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ବିପଦଜ୍ଜନକ ସାବ୍ୟସ୍ତ ହୋଇଛନ୍ତି। ଆଜି କ୍ୟାପିଟାଲ୍ସର ଯୁବ ବ୍ୟାଟିଂ ବିଭାଗ ଓ ସନ୍‌ରାଇଜର୍ସ ବୋଲରଙ୍କ ମଧ୍ୟରେ କଡ଼ା ଟକ୍କର ହେବା ଆଶା କରାଯାଉଛି ।

Related posts

Leave a Comment