ନୂଆଦିଲ୍ଲୀ ୧୧।୧୧: କରୋନା ଭାଇରସ୍ର ତୃତୀୟ ଲହରିର ସମ୍ମୁଖୀନ ହେଉଥିବା ଦିଲ୍ଲୀକୁ ଅନଲକ୍ କରିବା ନେଇ ହାଇକୋର୍ଟ କେଜ୍ରିଓ୍ଵାଲ ସରକାରଙ୍କୁ ତାଗିଦ୍ କରିଛନ୍ତି। କୋର୍ଟ କହିଛନ୍ତି, ଅନ୍ୟ ରାଜ୍ୟ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି କଟକଣା ଜାରି ରଖିଛନ୍ତି, କିନ୍ତୁ ଦିଲ୍ଲୀକୁ ଲଗାତାର ଅନଲକ୍ କରାଯାଉଛି। କୋର୍ଟ କେଜ୍ରିଓ୍ଵାଲ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ, କଣ ସରକାର ସଂକ୍ରମଣ ଦୁଇ ଗୁଣ ହେବାକୁ ଅପେକ୍ଷା କରିଛନ୍ତି। କୋର୍ଟ କେଜ୍ରିଓ୍ଵାଲ ସରକାରଙ୍କୁ ରିପୋର୍ଟ ଦାଖଲ କରି ଗତ ଦୁଇ ସପ୍ତାହରେ କରୋନାକୁ କାବୁ କରିବା ପାଇଁ କଣ କଣ ପଦକ୍ଷେପ ନେଇଛନ୍ତି ତାହା ଦର୍ଶାଇବାକୁ ଆଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ଵର ୧୮ରେ ହେବ।
ଦିଲ୍ଲୀରେ କରୋନାର ବଢୁଥିବା ସଂକ୍ରମଣ ମାମଲା ଉପରେ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କଠୋର ଟିପ୍ପଣୀ କରି କହିଛନ୍ତି, ଦିଲ୍ଲୀରେ ପ୍ରତି ଦିନ ୮୦୦୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କଣ ଆମେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଗୁଣ ହେବାକୁ ଅପେକ୍ଷା କରିଛନ୍ତି କି ? ଅଦାଲତ ଦିଲ୍ଲୀକୁ ଅନଲକ୍ କରିବା ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି। ଅଦାଲତ କ୍ଷୋଭ ପ୍ରକାଶ କରି କହିଛନ୍ତି, ଏମିତି ସ୍ଥିତିରେ ଦିଲ୍ଲୀ ସରକାର କରୋନା ସଂକ୍ରମଣ ରୋକିବା ପାଇଁ କଣ କଣ କରିଛନ୍ତି ? ସ୍କୁଲ ଖୋଲା ଯାଉଛି। ଡେଲି ମାର୍କେଟ୍ ଏବଂ ସାପ୍ତାହିକ ବଜାର ନିଜର ପୁରୁଣା ସ୍ଥିତିକୁ ଫେରି ଆସିଛନ୍ତି।
ଦିଲ୍ଲୀ ସରକାର ନିଜର ଉତ୍ତରରେ ଉଚ୍ଚ ନ୍ୟାୟାଳୟରେ କହିଛନ୍ତି ଯେ, ଅନେକ ସ୍ଥାନରେ କରୋନା ସଂକ୍ରମଣ ମାମଲା କମ ରହିଛି। ଏଥିରେ ଉତ୍ତର-ପୂର୍ବ ଦିଲ୍ଲୀ ସାମିଲ। କିନ୍ତୁ ନୂଆଦିଲ୍ଲୀ ଏବଂ ମଧ୍ୟ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କୋର୍ଟ ଦିଲ୍ଲୀ ସରକାରଙ୍କ ଏହି ଜବାବରେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। କୋର୍ଟ କହିଛନ୍ତି ଆମେ ସମସ୍ତେ ବର୍ତ୍ତମାନ ସ୍ଥିତି ବିଷୟରେ ଅବଗତ। ଦିଲ୍ଲୀରେ କଣ ପାଇଁ ସବୁ କିଛି ଖୋଲା ଯାଉଛି। କିନ୍ତୁ ଅନ୍ୟ ରାଜ୍ୟ ସଂକ୍ରମଣ ସ୍ଥିତି ଦେଖି ପଦକ୍ଷେପ ନେଉଛନ୍ତି।
ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଏହି ଟିପ୍ପଣୀ ସେହି ସମୟରେ କରିଛନ୍ତି, ଯେତେବେଳେ ଆବେଦନକାରୀ ହାଇକୋର୍ଟରେ କହିଛନ୍ତି ଯେ, ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସତ୍ଵେ ବି ନା ତାଙ୍କୁ ବେଡ୍ ମିଳିଲା ନା କୌଣସି ହସ୍ପିଟାଲ ସହାୟତା। ଶେଷରେ ସେ ନିଜର ଜଣେ ବନ୍ଧୁଙ୍କ ସହଯୋଗରେ ଏକ ନର୍ସିଂ ହୋମ୍ରେ ଭର୍ତ୍ତି ହୋଇଥିଲି। ଏଠାରେ ମଧ୍ୟ ଏକ ଅକ୍ସିଜେନ ମିଟର ବ୍ୟତୀତ ଆଉ କିଛି ଡାକ୍ତରୀ ସହାୟତା ମିଳିଲା ନାହିଁ।
କୋର୍ଟ ଦିଲ୍ଲୀ ସରକାରଙ୍କୁ ଚେତାଇ କହିଛନ୍ତି ଯେ, ପାର୍ବଣ ଋତୁରେ ବଜାରରେ ପ୍ରବଳ ଭିଡ ଜମୁଛି। ଏହା ସଂକ୍ରମଣକୁ ଆହୁରି ବ୍ୟାପକ କରିବ। ଦିଲ୍ଲୀ ସରକାର ଯଦି ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ନିଜ ନୀତିକୁ ନେଇ ଗମ୍ଭୀର ଅଛନ୍ତି ତେବେ ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାର ଏବଂ ଭିଡ ଏକାଠି ହେବା ଉପରେ ରୋକ୍ ଲଗାଇବାକୁ ପଡିବ।