ଅନଲାଇନ୍ ଗେମ୍‌ରେ ହାରିଗଲେ ବଡ ଭାଇ ଟଙ୍କା ମାଗିବାରୁ ସାନ ଭାଇ କଲା ହତ୍ୟା

ଜୟପୁର ୧୨।୧୧: କୋରାପୁଟ ପଟ୍ଟାଙ୍ଗୀରେ ଯୁବ ବ୍ୟବସାୟୀଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପଟ୍ଟାଙ୍ଗୀ ପୋଲିସ । ଘଟଣାର ମାଷ୍ଟର ମାଇଣ୍ଡ ଅନୀଲ ପାଢ଼ୀ, ଜଣେ ସୁପାରୀ କିଲରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ଠାରୁ ଗୋଟିଏ କାର୍, ଗୋଟିଏ ବୁଲେଟ୍ ସହ କିଛି ଗ୍ଲୋଭସ ମଧ୍ୟ ଜବତ ହୋଇଛି । ଅନଲାଇନ ଗେମରେ ବକେୟା ଟଙ୍କା ଆଦାୟକୁ ନେଇ ଘଟିଥିଲା ହତ୍ୟାକାଣ୍ଡ ।

ଅଭିଯୋଗ ଅନୁସାରେ ଅନୀଲଙ୍କ ଭାଇ ସୁନୀଲ ପାଢୀ ପଟ୍ଟାଙ୍ଗୀର ଯୁବ ବ୍ୟବସାୟୀ ଗଙ୍ଗା ପ୍ରସାଦ ଚୌଧୁରୀଙ୍କ ନିକଟରେ ଅନଲାଇନ୍ ଗେମ୍ ଖେଳି ପ୍ରାୟ ୩ ଲକ୍ଷ ଟଙ୍କା ହାରି ଯାଇଥିଲେ । ଗଙ୍ଗା ପ୍ରସାଦ  ବାରମ୍ବାର ଏହି ଟଙ୍କା ସୁନୀଲଙ୍କୁ ମାଗୁଥିଲେ । ହେଲେ ପାଖରେ ଟଙ୍କା ନଥିବାରୁ ସୁନୀଲ ଏହା ଦେଇ ପାରୁନଥିଲେ । ପରେ କିନ୍ତୁ ବାପାଙ୍କଠାରୁ ଲକ୍ଷେ ଟଙ୍କା ଆଣି ପରିଶୋଧ କରିଥିଲେ । ହେଲେ ବାକି ୨ ଲକ୍ଷ ଟଙ୍କା ଦେଇ ପାରିନଥିଲେ । ଆଉ ଏହାକୁ ନେଇ ସୁନୀଲଙ୍କ ଘରେ ଅଶାନ୍ତି ଲାଗି ରହୁଥିଲା । ତେଣୁ ଗଙ୍ଗାଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ସୁନୀଲଙ୍କ ଭାଇ ଅନୀଲ । ଯୋଜନା ଅନୁସାରେ ସେ ପ୍ରଥମେ ଗଞ୍ଜେଇ ବ୍ୟବସାୟ କରିବା ବାହାନାରେ ଗଙ୍ଗାଙ୍କ ସହ ବନ୍ଧୁତା କରିଥିଲେ । ଏହାପରେ ଗଙ୍ଗାଠାରୁ ୪୦ ହଜାର ଟଙ୍କା ଧାର ଆଣି ଥିଲେ । ଆଉ ଏହି ଟଙ୍କାରେ ସେ ପାରଳାଖେମୁଣ୍ଡିର ଦୁଇ ଜଣଙ୍କୁ ସୁପାରୀ ଦେଇଥିଲା । ପୂର୍ବ ଯୋଜନା ଅନୁସାରେ ଗଙ୍ଗାଙ୍କୁ ଗତ ୩ ତାରିଖରେ ହତ୍ୟା କରା ଯାଇଥିଲା।

ଏହି ଘଟଣାର ମୁଖ୍ୟ ସୁପାରୀ କିଲର ଫେରାର ହୋଇ ଯାଇଥିବା ବେଳେ ଘଟଣାର ମାଷ୍ଟର ମାଇଣ୍ଡ ଅନୀଲ ପାଢ଼ୀ, ଜଣେ ସୁପାରୀ କିଲରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ବଡ ଭାଇ ଅନଲାଇନ ଗେମରେ ଗଙ୍ଗାଙ୍କଠାରୁ ହାରିବା ଓ ସାନଭାଇ ତାଙ୍କଠାରୁ ହିଁ ଧାର ନେଇ ସେହି ଟଙ୍କାରେ ସୁପାରୀ ଦେଇ ତାଙ୍କୁ ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related posts

Leave a Comment