ଭୁବନେଶ୍ୱର,୧୪/୧୧: ଆଜି ହେଉଛି ଆଲୋକର ଉତ୍ସବ ଦୀପାବଳି । କିନ୍ତୁ ଏ ବର୍ଷ କରୋନା ପାଇଁ ଦୀପାବଳି କେବଳ ଦୀପ ଜାଳିବାରେ ସୀମିତ ରହିବ । ସରକାର ବାଣ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି ।ଏହାସହ ବାଣ କଟକଣାକୁ କଡ଼ାକଡି଼ ଭାବେ ଲାଗୁ କରିବାକୁ ଆକ୍ସନ ପ୍ଲାନ ତିଆରି କରିଛି କମିଶନରେଟ୍ ପୋଲିସ । ରାଜଧାନୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ ପାଇଁ ନିଷ୍ପତ୍ତି ନିଆଯାଇଛି । ସହରରେ ଦୀପାବଳି ପାଇଁ ୧୭ ପ୍ଲାଟୁନ୍ ଫୋର୍ସ ମୁତୟନ କରିବାକୁ ଯୋଜନା ରହିଛି ।
ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ, ରାଜଧାନୀରେ ବାଣ ଫୁଟାଇବା ନିଷିଦ୍ଧ ରହିଛି। କେହି ନିୟମ ଉଲଙ୍ଘନ କଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କରୋନା ସଙ୍କଟକୁ ନଜରରେ ରଖି ବାଣ ଫୁଟାଇବାରୁ ରାଜଧାନୀବାସୀ ନିବୃତ୍ତ ରହିବାକୁ ସେ ଅନୁରୋଧ କରିଛନ୍ତି। ଯଦି କେହି ବାଣ ଫୁଟାଉଥିବା କି ବିକୁଥିବା ଦେଖନ୍ତି, ତୁରନ୍ତ ଡାଏଲ୍-୧୦୦କୁ ଫୋନ କରି ଜଣାଇବାକୁ ଡିସିପି କହିଛନ୍ତି ।