ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାରଣାସୀ ଲୋକସଭା ନିର୍ବାଚନକୁ ରଦ୍ଦ କରିବାକୁ ଦାବି

ନୂଆଦିଲ୍ଲୀ ୧୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାରଣାସୀ ଲୋକସଭା ଆସନର ନିର୍ବାଚନ ରଦ୍ଦ କରିବା ଦାବିରେ ଦାଖଲ ଆବେଦନ ଉପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ମାମଲାର ଶୁଣାଣି ଘୁଞ୍ଚାଇବା ଲାଗି ଆବେଦନକାରୀ ସୀମା ସୁରକ୍ଷା ବଳ(ବିଏସଏଫ)ରୁ ବରଖାସ୍ତ ଯବାନ ତେଜବହାଦୂର ଯାଦବଙ୍କ ଅପିଲକୁ ନ୍ୟାୟାଳୟ ଖାରଜ କରିଛନ୍ତି। ତେଜବହାଦୂର ଗତ ଛଅ ମାସରେ ତିନି ଥର ଏହି ମାମଲାକୁ ଘୁଞ୍ଚାଇ ସାରିଛନ୍ତି। ଆଜି ମଧ୍ୟ ଏମିତି କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସର୍ବୋଚ୍ଚ ଅଦାଲତ ତାଙ୍କୁ ଆଉ ସମୟ ଦେବାକୁ ମନା କରି ଦେଇଛନ୍ତି।

ତେଜବହାଦୂର ପ୍ରଥମେ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରି ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନକୁ ଖାରଜ କରିବାକୁ ଦାବି କରିଥିଲେ। ହେଲେ ହାଇକୋର୍ଟ ଏହା କହି ତାଙ୍କ ଆବେଦନ ଖାରଜ କରିଥିଲେ ଯେ, ଏମିତି ଦାବି କେବଳ ସେହି ବ୍ୟକ୍ତି କରି ପାରିବେ ଯିଏ ଏହି ଆସନରୁ ନିର୍ବାଚନ ଲଢିଥିବେ। ହାଇକୋର୍ଟ କହିଛନ୍ତି କାରଣ ୨୦୧୯ରେ ବାରଣାସୀ ଲୋକସଭା ଆସନରୁ ତେଜବହାଦୂର ନିର୍ବାଚନ ଲଢିନଥିଲେ। ଏଥିପାଇଁ ସେ ଏଠାରେ ନିର୍ବାଚିତ ପ୍ରତିନିଧୀଙ୍କ ନିର୍ବାଚନ ରଦ୍ଦ କରିବାକୁ ଦାବି କରି ପାରିବେ ନାହିଁ।

ଆହ୍ଲାବାଦ ହାଇକୋର୍ଟରେ ଆବେଦନ ଖାରଜ ହେବା ପରେ ତେଜବହାଦୂର ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ। ବୁଧବାର ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ ନେତୃତ୍ଵାଧୀନ ପୀଠ ତେଜବହାଦୂରଙ୍କ ଓକିଲ ପ୍ରଦୀପ ଯାଦବଙ୍କୁ ପକ୍ଷ ରଖିବାକୁ କହିବାରୁ ସେ ମାମଲାକୁ ପୁଣି ଥରେ ଘୁଞ୍ଚାଇବାକୁ ଅପିଲ୍ କରିଥିଲେ। ଏହା ପରେ ପ୍ରଧାନ ବିଚାରପତି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପଦ ଏକ ବିଶିଷ୍ଟ ଏବଂ ଦେଶର ଏକମାତ୍ର ପଦ। ଏଥିପାଇଁ ତାଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ ଦେଉଥିବା ଆବେଦନକୁ ଏମିତି ଝୁଲାଇ ରଖାଯାଇ ପାରିବ ନାହିଁ। ସିଜେଆଇ କହିଛନ୍ତି, ଆବେଦନକାରୀଙ୍କୁ ପୂର୍ବରୁ ହିଁ ପର୍ଯ୍ୟାପ୍ତ ସୁଯୋଗ ଓ ସମୟ ଦିଆଯାଇଛି।

Related posts

Leave a Comment