ସମୁଦ୍ର ପାଣି ଛୁଇଁଲେ ଦେବାକୁ ପଡିବ ଫାଇନ୍

ପଟ୍ଟାମୁଣ୍ଡାଇ ୧୮।୧୧: ସମୁଦ୍ର ପାଣିରେ ଗୋଡ ବାଜିଲେ ଦେବାକୁ ପଡିବ ଜରିମନା । ପେଣ୍ଠ ସମୁଦ୍ର କୂଳରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଏମିତି ଏକ ନିୟମ କରିଛନ୍ତି । ନାଲି ପତାକା ଲଗାଇ ସର୍ବସାଧାରଣ ଲୋକଙ୍କୁ ଅବଗତ କରାଇବା ସହିତ ଆଜିଠାରୁ ୧୪୪ ଧାରା ଲାଗୁ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୧୫ଦିନ ମଧ୍ୟରେ ରାଜନଗର ପେଣ୍ଠ ସମୁଦ୍ର କୂଳରେ ଗାଧୋଇବା ବେଳେ ଦୁଇ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କ ଜୀବନ ଯିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ । ଗତ ୧ ତାରିଖରେ ଯାଜପୁର ଜିଲ୍ଲା ଜରି ଗାଁର ଗୌରବ ରଥ ଓ ଗତ ୧୫ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ଗୁପ୍ତିରା ଗାଁର ସତ୍ୟଜିତ ବାଇ ପେଣ୍ଠ ସମୁଦ୍ର କୂଳରେ ବୁଲିବାକୁ ଯାଇ ଗାଧୋଇବା ସମୟରେ ପାଣିରେ ଭାସିଯାଇଥିଲେ । ଗୌତମଙ୍କର ମୃତଦେହ ମିଳିଥିବା ବେଳେ ଏପର୍ଯ୍ୟନ୍ତ ସତ୍ୟଜିତଙ୍କ ମୃତଦେହ ମିଳିପାରିନାହିଁ ।

ଅନ୍ୟପଟେ କୋଭିଡ୍ କଟକଣା ସମୟରେ ସବୁ ପର୍ଯ୍ୟଟନ ସ୍ଥଳୀ ବନ୍ଦ ପଡିଥିବା ବେଳେ ପେଣ୍ଠରେ ପ୍ରଶାସନ ତରଫରୁ କଟକଣା ଲଗାଯାଇନଥିଲା । ଯେଉଁଥି ପାଇଁ ପେଣ୍ଠରେ ପର୍ଯ୍ୟଟକଙ୍କ ସଂଖ୍ୟା ବେଶ ବଢିବାରେ ଲାଗିଥିଲା । ତେଣୁ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିବାରୁ ଆଜିଠାରୁ ପ୍ରଶାସନ ତରଫରୁ ୧୪୪ ଧାରା ଲାଗୁ କରାଯାଇଛି । ପେଣ୍ଠ ସମୁଦ୍ର ପାଣିରେ ଗୋଡ ବୁଡାଇବାକୁ ମଧ୍ୟ କଟକଣା ଲଗାଯାଇଛି । କଟକଣା ନମାନିଲେ ପର୍ଯ୍ୟଟକମାନେ ଜରିମନା ଦେବେ ବୋଲି ସୂଚନା ପ୍ରଦାନ କରାଯାଇଛି ।

Related posts

Leave a Comment