ନ୍ୟୁୟର୍କ ୧୯।୧୧: ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ବହୁ ପ୍ରତିକ୍ଷୀତ ପୁସ୍ତକ ‘ଏ ପ୍ରୋମିସଡ୍ ଲ୍ୟାଣ୍ଡ’ ବିକ୍ରି ଲାଗି ବଜାରକୁ ପ୍ରବେଶ କରିଛି। ଏହା ଏକ ସସ୍ମରଣ ପୁସ୍ତକ ହୋଇଥିବା ବେଳେ ବଜାର ପ୍ରବେଶରେ ପ୍ରଥମ ଦିନରେ ବିକ୍ରିର ସମସ୍ତ ରେକର୍ଡ ଭାଙ୍ଗିଛି। ଗୋଟିଏ ଦିନରେ ପୁସ୍ତକର ୮ ହଜାର ୯୦ ଲକ୍ଷ କପି ହାତକୁ ହାତ ବିକ୍ରି ହୋଇଯାଇଥିବା ପୁସ୍ତକର ପ୍ରକାଶକ ‘ପେଙ୍ଗୁଇନ୍ ରାଣ୍ଡମ ହାଉସ୍’ ସୂଚିତ କରିଛନ୍ତି।
ସୂଚନା ମୁତାବକ କେବଳ ଯୁକ୍ତରାଷ୍ଟ୍ର ଓ କାନାଡାରେ ପୁସ୍ତକର ୮ଲକ୍ଷ ୮୭ ହଜର କପି ବିକ୍ରି ହୋଇଛି। ଯାହାକୁ ପୁସ୍ତକ ବିକ୍ରିରେ ସର୍ବକାଳୀନ ରେକର୍ଡ ବୋଲି କୁହାଯାଇପାରେ। ଏଥିରେ ଅଗ୍ରୀମ ଅର୍ଡର ବିକ୍ରି ଓ ପ୍ରଥମ ଦିନର ବିକ୍ରି ମଧ୍ୟ ସାମିଲ। ପ୍ରକାଶକ ତାଙ୍କ କମ୍ପାନୀ ଦ୍ୱାରା ଏ ପର୍ଯ୍ୟନ୍ତ ପ୍ରକାଶିତ ପୁସ୍ତକମାନଙ୍କର ବିକ୍ରି ତୁଳନାରେ ଓବାମାଙ୍କ ପୁସ୍ତକର ପ୍ରଥମ ଦିନ ମୋଟ ବିକ୍ରି ବାସ୍ତବିକ ଆଶ୍ଚର୍ଯ୍ୟଜନକ କହିଛନ୍ତି। ଅନ୍ୟ ଏକ ପ୍ରକାଶନ ସଂସ୍ଥା ପୂର୍ବତନ ରାଷ୍ଟ୍ରପତିଙ୍କ ପୁସ୍ତକକୁ ଦୁର୍ଲଭ ଶ୍ରେଣୀର କହିବା ସହ ଏହା ବଜାରରେ ହ୍ୟାରିପୋର୍ଟର ସିରିଜ ଭଳି ବିକ୍ରି ହେବ ବୋଲି କହିଛନ୍ତି।
୨୧ ଜୁଲାଇ ୨୦୦୭ ରେ ହ୍ୟାରି ପୋର୍ଟର ସିରିଜର ‘ଡେଥଲି ହାଲୋଜ୍’ ପ୍ରକାଶିତ ହୋଇଥିଲା। ସେଦିନ ଏହି ପୁସ୍ତକର ବିକ୍ରି ବହି ବିକ୍ରେତାଙ୍କୁ ବେଶ୍ ଉତ୍ସାହିତ କରିଥିଲା ବୋଲି କହିଛନ୍ତି ବାର୍ଣ୍ଣେସ୍ ଏଣ୍ଡ ନୋବେଲର ସିଇଓ ଜେମ୍ସ ଡାଉଣ୍ଟ। ତେବେ ଓବାମାଙ୍କ ପୁସ୍ତକ ଲାଗି ଏହାଠାରୁ ବି ଲୋକେ ଅଧିକ ରୋମାଞ୍ଚିତ ଥିବା ସେ କହିଛନ୍ତି। ଯାହା ବହି ବିକ୍ରେତାଙ୍କୁ ପ୍ରେରଣା ଦେଉଛି।
ପୁସ୍ତକର ଅନାବରଣ ପୂର୍ବରୁ ଓବାମା ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ବହି ନେଇ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ତାଙ୍କର ଅଗଣିତ ଫଲୋରଙ୍କୁ ତାଙ୍କୁ ଆକାର ପ୍ରଦାନ କରିବାରେ ବିଭିନ୍ନ ଘଟଣାବଳୀ ଓ ଲୋକଙ୍କ ଉପରେ ସମସ୍ମରଣ ପୁସ୍ତକଟି ଆଲୋକପାତ କରିଥିବା ଉଲ୍ଲେଖ କରିଥିଲେ। ପୁସ୍ତକ ‘ଏ ପ୍ରୋମିସଡ ଲ୍ୟାଣ୍ଡ’ ଏବେ ସାର୍ବଜନିକ ବିକ୍ରି ଲାଗି ଉପଲବ୍ଧ ଓ ଆଶା କରୁଛି ଆପଣମାନେ ନିଶ୍ଚିତ ପଢିବେ ବୋଲି ଓବାମା ଲେଖିଥିଲେ।