ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ ୩।୧୨: ଅନଲାଇନ୍‌ରେ ହେବନାହିଁ ସିବିଏସଇର ବୋର୍ଡ ପରୀକ୍ଷା । ୨୦୨୧ରେ ହେବାକୁ ଥିବା ପରୀକ୍ଷା ଲିଖିତ ଭାବେ ଦେବେ ଛାତ୍ରଛାତ୍ରୀ । ସିବିଏସଇ ଅଧିକାରୀ ଏ ନେଇ ସ୍ପଷ୍ଟ କରିବା ସହ କରିଛନ୍ତି ଯେ, ବୋର୍ଡ ପରୀକ୍ଷା ଅନଲାଇନ୍‌ରେ କରିବା ନେଇ କୌଣସି ପ୍ରସ୍ତାବ ନାହିଁ । ବୋର୍ଡ ପରୀକ୍ଷା ଗତ ବର୍ଷ ଭଳି ସାମାନ୍ୟ ଲିଖିତ ଭାବେ କରାଯିବ । ମାତ୍ର ଏପର୍ଯ୍ୟନ୍ତ ପରୀକ୍ଷା ତାରିଖ ଧାର୍ଯ୍ୟ ହୋଇନାହିଁ । ସିବିଏସଇ ଅଧିକାରୀ କହିଛନ୍ତି ଯେ, ୨୦୨୧ରେ ବୋର୍ଡ ପରୀକ୍ଷା ଅନଲାଇନ୍‌ରେ ନୁହେଁ ବରଂ ସାମାନ୍ୟ ଲିଖିତ ଭାବେ ହେବ ।

ଶିକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ବିକାଶ ଏବଂ ଉଜ୍ବଳ ଭବିଷ୍ୟତ ପାଇଁ ପରୀକ୍ଷା ଆୟୋଜନ କରିବା ଅତ୍ୟନ୍ତ ଜରୁରୀ । ଚଳିତ ବର୍ଷ ପରୀକ୍ଷା ଆୟୋଜନକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକଙ୍କ ମଧ୍ୟରେ ନାନାଦି ଚର୍ଚ୍ଚା ହେଉଥିଲା । କୋଭିଡ୍ କଟକଣା ଯୋଗୁଁ ଏପର୍ଯ୍ୟନ୍ତ ସାରାଦେଶରେ ସ୍କୁଲ, କଲେଜ ସମ୍ପୂର୍ଣ୍ଣ ଭାବେ ଖୋଲାଯାଇନାହିଁ । ବୋର୍ଡ ପରୀକ୍ଷାର ପଞ୍ଜୀକରଣଠାରୁ ଶ୍ରେଣୀ ପରିଚାଳନା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଭର୍ଚୁଆଲ ଅଥବା ଅନଲାଇନ୍‌ରେ ସଞ୍ଚାଳିତ ହେଉଛି ।

ଏହା ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ. ରମେଶ ପୋଖରିଆଲ ନିଶଙ୍କ କହିଥିଲେ ଯେ, ଲଗାତର ସ୍କୁଲ, କଲେଜଠାରୁ ଦୂରରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍‌ରେ ପାଠ ପଢିବା ଏକ ବଡ ଚ୍ୟାଲେଞ୍ଜ । ମାତ୍ର ଏହି ଚ୍ୟାଲେଞ୍ଜକୁ ମାତ୍ ଦେବା ପାଇଁ ଛାତ୍ରଛାତ୍ରୀଙ୍କୁ ସବୁବେଳେ ପ୍ରସ୍ତୁତ ରହିବା ଉଚିତ୍ ବୋଲି ସେ କହିଥିଲେ ।

Related posts

Leave a Comment