ରହସ୍ୟ ଘେରରେ ସନ୍ଥ ବାବା ରାମ ସିଂଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୧୮/୧୨:    କୃଷକ ଆନ୍ଦୋଳନକୁ ସମର୍ଥନ କରି ଆତ୍ମହତ୍ୟା କରିଛନ୍ତି ସନ୍ଥ ବାବା ରାମ ସିଂ । ଏହା ତାଙ୍କର ଅନୁଗାମୀକୁ ବଡ ଝଟକା ଦେଇଛି । ପୋଲିସ ମଧ୍ୟ ଏହି ଘଟଣା ବାବଦରେ ସ୍ପଷ୍ଟ କରି କିଛି କହୁନାହିଁ । ଏବେ ପୋଲିସ ଫରେନସିକ୍ ରିପୋର୍ଟକୁ ଯାଞ୍ଚ କରୁଛି ।

କୁହାଯାଉଛି ଯେ, ବାବା ମୂଳ ରୂପେ ପଞ୍ଜାବର ଜଙ୍ଗରାବ ଅଞ୍ଚଳରେ ରହୁଥିଲେ । ପରେ ସେ ୧୯୯୦ରେ ସିଙ୍ଗଡାରେ ଆଶ୍ରମ ଓ ଗୁରୁଦ୍ୱାର କରି ଶିଖ୍ ଧର୍ମର ପ୍ରଚାରପ୍ରସାର କରୁଥିଲେ । ତାଙ୍କ ନିଧନ ପରେ ହଜାର ହଜାର ଅନୁଗାମୀ ଆଶ୍ରମରେ ପହଁଚିଥିଲେ । ତାଙ୍କର ମରଶରୀରକୁ ଗୋଟିଏ ଦିନ ପାଇଁ ଗୁରୁଦ୍ୱାର ପରିସରରେ ରଖାଯାଇଥିଲା । ତାଙ୍କର ଅନ୍ତିମ ଦର୍ଶନ ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

ସେ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ କରିନି ପୋଲିସ । ତେବେ ତାଙ୍କର ଅନୁଗାମୀମାନେ ବାବା କୃଷକଙ୍କ ପାଇଁ ବଳିଦାନ ଦେଇଥିବା କହୁଛନ୍ତି । ପୋଲିସ କହିଛି ଯେ, ବାବା ନିଜକୁ ଗୁଳି କରିବା ବେଳେ ଗାଡିରେ ଏକା ଥିଲେ । ଏବେ ତାଙ୍କର ସୁଇସାଇଡ୍ ନୋଟକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ବାବା ସୁଇସାଇଡ୍ ନୋଟରେ ଲେଖିଛନ୍ତି ଯେ, ସେ କୁଣ୍ଡଲୀ ସୀମାରେ କୃଷକଙ୍କ କଷ୍ଟ ଦେଖିଛନ୍ତି । ସେମାନେ ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି । କିନ୍ତୁ ସେମାନଙ୍କ ନ୍ୟାୟ ମିଳୁନାହିଁ । ଯାହା ଦୁର୍ଭାଗ୍ୟପୂର୍ଣ୍ଣ । କାହା ଉପରେ ଅତ୍ୟାଚାର କରିବା ପାପ ଅଟେ । ଲୋକମାନେ କୃଷକଙ୍କ ସହ ଏକଜୁଟତା ଦେଖାଇବା ପାଇଁ ବହୁତ କିଛି କରିଛନ୍ତି । କିଛି ବ୍ୟକ୍ତି ପାଇଥିବା ପୁରସ୍କାର ଫେରସ୍ତ କରିଥିଲେ । ତେବେ ସେ ନିଜେ କୃଷକଙ୍କ ସମର୍ଥନରେ ଓ ସରକାରଙ୍କ  ବିରୋଧରେ ଆତ୍ମହତ୍ୟା କରୁଛନ୍ତି । ଏହା କୃଷକଙ୍କ ହକ୍ ପାଇଁ ଅଟେ ବୋଲି ସେ ସୁଇସାଇଡ୍ ନୋଟରେ ଲେଖିଛନ୍ତି ।

Related posts

Leave a Comment