ସୋନୁ ସୁଦ୍‌ଙ୍କ ବିରୋଧରେ BMC ଦାୟର କଲା ମାମଲା, ୬ମହଲା ଆବାସିକ କୋଠାରେ ହୋଟେଲ କରିଥିବା ଅଭିଯୋଗ

ମୁମ୍ବାଇ ୭।୧: ବଲିଉଡ୍ ଅଭିନେତା ସୋନୁ ସୁଦ୍ ଙ୍କ ବିରୋଧରେ ବିଏମସିର ଦୃଢ କାର୍ଯ୍ୟାନୁଷ୍ଠାନ । ଜୁହୁ ସ୍ଥିତ ଏକ ୬ ମହଲା ଆବାସିକ ବିଲ୍ଡିଂକୁ ବିନା ଅନୁମତିରେ ହୋଟେଲ କରିଥିବା ଅଭିଯୋଗରେ ପୋଲିସ ନିକଟରେ ଅଭିଯୋଗ କରିଛି ବିଏମସି । ବିଏମସି ପକ୍ଷରୁ ଜାନୁଆରୀ ୪ ତାରିଖରେ ଜୁହୁ ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି ।

ଏତଲାରେ ଦର୍ଶାଯାଇଛି ଯେ, ସୋନୁ ସୁଦ୍ ଙ୍କ ବିରୋଧରେ ମହାରାଷ୍ଟ୍ର ରିଜନ ଆଣ୍ଡ୍ ଟାଉନ ପ୍ଲାନିଂ ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ୍ । ବିଏମସି କହିଛି ଯେ, ଅଭିନେତା ସୋନୁ ସୁଦ୍ ମହାରାଷ୍ଟ୍ର ରିଜନ ଆଣ୍ଡ୍ ଟାଉନ ପ୍ଲାନିଂ ଆକ୍ଟର ସେକ୍ସନ ୭ ଅନୁଯାୟୀ ଦଣ୍ଡନୀୟ ଅପରାଧ କରିଛନ୍ତି । ସୋନୁ ସୁଦଙ୍କ ଏ ବି ନାୟର ରୋଡ୍ ରେ ଥିବା ଶକ୍ତି ସାଗର ବିଲ୍ଡିଂକୁ ବିନା ଅନୁମତିରେ ହୋଟେଲରେ ପରିବର୍ତ୍ତିତ କରିଛନ୍ତି । ନିୟମ ଅନୁସାରେ ଶକ୍ତି ସାଗର ଏକ ଆବାସିକ ବିଲ୍ଡିଂ । ଏହାକୁ କମର୍ସିଆଲ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିନାହିଁ ।

ବିଏମସି ଏତଲାରେ ଆହୁରି କୁହାଯାଇଛି ଯେ, ସୋନୁ ସୁଦ୍ ନିଜେ ଜମି ବ୍ୟବହାରରେ ପରିବର୍ତ୍ତନ କରିଛନ୍ତି । ଏହା ବ୍ୟତୀତ ପ୍ରସ୍ତୁତ ପ୍ଲାନ୍ ଠାରୁ ଅତିରିକ୍ତ ନିର୍ମାଣ କରି ଆବାସିକ ବିଲ୍ଡିଂକୁ ଆବାସିକ ହୋଟେଲ ବିଲ୍ଡିଂରେ ପରିବର୍ତ୍ତନ କରିଛନ୍ତି । ଏଥିପାଇଁ ସେମାନେ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକ ବୈଷୟିକ ଅନୁମୋଦନ ମଧ୍ୟ ପାଇ ନାହାଁନ୍ତି ।

ଏହି ମାମଲାରେ ସୋନୁ ସୁଦ୍ କହିଛନ୍ତି ଯେ, ସେ ବିଏମସିରୁ ବ୍ୟବହାର ପରିବର୍ତ୍ତନ ପାଇଁ ଅନୁମତି ନେଇଥିଲେ । ଏବେ ମହାରାଷ୍ଟ୍ର କୋଷ୍ଟାଲ ଜୋନ୍ ମ୍ୟାନେଜମେଣ୍ଟ ଅଥରିଟିରୁ ମଞ୍ଜୁରୀ ମିଳିବାକୁ ଅପେକ୍ଷା କରିଥିଲେ ।

Related posts

Leave a Comment