ବ୍ରିସବେନ ୦୮।୦୧: ଅଷ୍ଟ୍ରେଲିଆର ତୃତୀୟ ସବୁଠୁ ବଡ ସହର ବ୍ରିସବେନରେ ଶୁକ୍ରବାରଠୁ ତିନି ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରାଯାଇଛି। ଫଳରେ ପୁଣି ଥରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଉପରେ ସଙ୍କଟର ବାଦଲ ଛାଇ ଯାଇଛି। ସ୍ଥାନୀୟ ଲୋକଙ୍କଠାରେ କରୋନା ଭାଇରସ୍ର ନୂତନ ସଂକ୍ରମଣ ଠାବ ହେବା ପରେ ଏହି ପଦକ୍ଷେପ ଉଠାଯାଇଛି। କ୍ଵିନ୍ସଲାଣ୍ଡ ରାଜ୍ୟର ସ୍ଵାସ୍ଥ୍ୟ ବିଭାଗ ଅନୁଯାୟୀ, ସହର ସ୍ଥିତ ଗ୍ରେଟର ବ୍ରିସବେନ ଅଞ୍ଚଳରେ ଜାନୁଆରୀ ୧୧ ପର୍ଯ୍ୟନ୍ତ ଲକ୍ଡାଉନ୍ ଲାଗୁ କରାଯାଇଛି। ଏଠାରେ ଜାନୁଆରୀ ୧୫ରୁ ଶେଷ ତଥା ଚତୁର୍ଥ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ।
କିନ୍ତୁ ଏ ପର୍ଯ୍ୟନ୍ତ ମ୍ୟାଚ୍ର ସ୍ଥିତିକୁ ନେଇ କୌଣସି ପ୍ରକାର ଆନୁଷ୍ଠାନିକ ପ୍ରତିକ୍ରିୟା ଆସିନାହିଁ। ଏବେ ପ୍ରଶ୍ନ ଉଠୁଛି ଯେ ଏମିତି ସ୍ଥିତିରେ ଖେଳାଳି ସେଠାରେ କେମିତି ଖେଳିବେ। ଭାରତୀୟ ଦଳ ପ୍ରଥମରୁ ହିଁ କ୍ଵାରେଣ୍ଟାଇନ୍କୁ ନେଇ ନିଜର ଆଭିମୁଖ୍ୟ ବୋର୍ଡ ସାମ୍ନାରେ ରଖି ସାରିଛନ୍ତି। ଭାରତୀୟ ଖେଳାଳିଙ୍କ ମତରେ ସେମାନେ ବାରମ୍ବାର କ୍ଵାରେଣ୍ଟାଇନ୍ରେ ରହିବାକୁ ଚାହୁଁ ନାହାନ୍ତି।
ବ୍ରିସବେନର କ୍ଵାରେଣ୍ଟାଇନ୍ ହୋଟେଲ୍ରେ କାମ କରୁଥିବା ଜଣେ ଯୁବ କ୍ଲିନରଠାରେ କରୋନାର ନୂତନ ସଂକ୍ରମଣ ଚିହ୍ନଟ ହେବା ପରେ କଠୋର ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଦକ୍ଷିଣ ଅଷ୍ଟ୍ରେଲିଆ ଗ୍ରେଟର ବ୍ରିସବେନ ଅଞ୍ଚଳ ସହିତ ସଂଲଗ୍ନ ସୀମାରେ ନିୟମ ଲାଗୁ କରିଛି। ଶୁକ୍ରବାର ମଧ୍ୟ ରାତ୍ରରୁ ଗ୍ରେଟର ବ୍ରିସବେନ ଅଞ୍ଚଳରୁ ଦକ୍ଷିଣ ଅଷ୍ଟ୍ରେଲିଆ ଆସୁଥିବା କୌଣସି ବି ବ୍ୟକ୍ତିଙ୍କକୁ ୧୪ ଦିନିଆ କ୍ଵାରେଣ୍ଟାଇନ୍ରେ ରହିବା ବାଧ୍ୟତାମୂଳକ କରାଯାଇଛି।