ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଆକ୍ରମଣ ପଛରେ କିଏ?

ଭୁବନେଶ୍ୱର ୧୮/୦୧ : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ  ଉପରେ ଆକ୍ରମଣ ଘଟଣାକୁ ନେଇ ରାଜନୀତି ସରଗରମ। ଆଜି କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି। ଆକ୍ରମଣ ପଛରେ ବିଜେପି ହାତ ଥିବା ଅଭିଯୋଗ କରି ରାଜଧାନୀ ଭୁବନେଶ୍ବର ସମେତ କେନ୍ଦୁଝର ଓ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଛି। ହେଲେ ଗତକାଲି ନିରଂଜନ ନିଜେ ଏହି ଘଟଣାରେ କୌଣସି ରାଜନୀତି ନଥିବା କହିଥିବା ବେଳେ ଆଜି ୟୁଟର୍ଣ୍ଣ ମାରିବା ନେଇ ପ୍ରଶ୍ନ ଉଠିଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଆକ୍ରମଣ ପଛରେ କିଏ। ଏହା  ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନା ଏହା ନିର୍ଦ୍ଦିଷ୍ଟ ସ୍ଥାନରେ ଉପୁଜିଥିବା ଘଟଣା?  ଘଟଣାକୁ ନେଇ ଆଜି କେନ୍ଦୁଝରରେ ଛାତ୍ର କଂଗ୍ରେସ ଓ ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ ହୋଇଛି। କେବଳ କେନ୍ଦୁଝର ନୁହେଁ ରାଜଧାନୀ ଭୁବନେଶ୍ବରରେ ମଧ୍ୟ କଂଗ୍ରେସ କର୍ମୀ  ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଡିସିପିଙ୍କ ଅଫିସ ଘେରାଉ କରିଛନ୍ତି। ଆସାମୀଙ୍କୁ ଗିରଫ କରାନଗଲେ ଆଇନକୁ କଂଗ୍ରେସ ହାତକୁ ନେବ ବୋଲି ଧମକ ଦେଇଛି । ଆକ୍ରମଣ ଘଟଣାରେ ବିଜେପିର ହାତ ରହିଛି ବୋଲି କଂଗ୍ରେସ ସିଧାସଳଖ ଅଭିଯୋଗ କରିଛି।

ଗତକାଲି ସଂଧ୍ୟାରେ କେନ୍ଦୁଝରରେ ନିରଂଜନଙ୍କ ଉପରେ ଆକ୍ରମଣ ଉଦ୍ୟମ କରିଥିଲେ କିଛି ଯୁବକ। ଘଟଣାରେ ସଂପୃକ୍ତ ଅଭିଯୋଗରେ କେନ୍ଦୁଝର ଟାଉନ ଥାନା ପୋଲିସ ସଂଜୟ ମହାନ୍ତି ନାମକ ଜଣେ ଯୁବକଙ୍କୁ ଗିରିଫ କରିଛି । ଅନ୍ୟମାନଙ୍କୁ ଧରିବା ଲାଗି ତନାଘନା ଚଳାଇଛି। ତେବେ ଗତକାଲି ସଂଧ୍ୟାରେ ଆକ୍ରମଣକୁ ନେଇ ନିରଜଂନ କହିଥିଲେ ଯେ ଏହି ଘଟଣାରେ କିଛି ରାଜନୀତି ନାହିଁ। ହେଲେ ରାତି ପାହିବା ପରେ ନିଂରଂଜନ ୟୁଟର୍ଣ୍ଣ ମାରିଥିବା ଚର୍ଚ୍ଚା ହୋଇଛି। ଖୋଦ ନିରଞ୍ଜନ ଟ୍ବିଟ କରି ମଧ୍ୟ ବିଜେପି ଆଡକୁ ଆକ୍ଷେପ କରିଛନ୍ତି।

ଘଟଣାରେ ବିଜେପିର ହାତ ଥିବା ନେଇ କଂଗ୍ରେସ ସିଧା ଆକ୍ଷେପ କରିବା ପରେ ଅଭିଯୋଗକୁ ଅସ୍ବୀକାର କରିଛି ବିଜେପି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଟ୍ବିଟ୍‌ କରି ହିଂସାକୁ ନିନ୍ଦା କରିଛନ୍ତି । ସେପଟେ ବିଜେଡି ବି ବିଜେପି ଆଡକୁ ଆଙ୍ଗୁଳି ଉଠାଇଛି। ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଟ୍ବିଟ କରିଛନ୍ତି ଯେ ଆକ୍ରମଣରେ ବିଜେପି ଜିଲ୍ଲା ସଂପାଦକଙ୍କ ହାତ ରହିଛି । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ବୋଲି ବିଜେଡି ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ କହିଛି ।

ଗତ ନିର୍ବାଚନ ସମୟରେ କେନ୍ଦୁଝରରେ ନିରଞ୍ଜନଙ୍କ ଉପରେ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ସେତେବେଳେ ବିଜେଡି ଆଡକୁ ଆକ୍ଷେପ କରିଥିଲେ ନିରଞ୍ଜନ। ତେବେ ଗତକାଲି ନିରଞ୍ଜନଙ୍କୁ ହୋମ ଡିଷ୍ଟ୍ରିକ୍ଟରେ ତାଙ୍କୁ ପୁଣି ଆକ୍ରମଣ ରାଜନୀତିର ନୂଆ ଟ୍ବିଷ୍ଟ ସୃଷ୍ଟି କରିଛି।

Related posts

Leave a Comment