‘ଦିଲ୍ ଟୁଟା ଆଶିକ୍-ଚାଏ ଵାଲା’: ମନ ଭାଙ୍ଗିଲା ପରେ ଆସିଲା ଆଇଡ଼ିଆ

ଡେରାଡୁନ ୧୯/୦୧ : ସୋସିଆଲ ମିଡ଼ିଆରେ ଅନେକ କାହାଣୀ ଭାଇରାଲ ହୋଇଥାଏ। କିଛି କାହାଣୀ ଲୋକଙ୍କୁ ଉତ୍ସାହିତ କରିଥାଏ। ଏହିଭଳି ଏକ କାହାଣୀ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଉତ୍ତରାଖଣ୍ଡ ଡେରାଡୁନର ୨୧ ବର୍ଷ ବୟସ୍କ ଏହି ଯୁବକଙ୍କ କାହାଣୀ ଲୋକଙ୍କ ହୃଦୟ ଜିତିଛି। କାହାଣୀ ଜଣେ ହୃଦୟ ଭାଙ୍ଗି ଯାଇଥିବା ପ୍ରେମିକଙ୍କର। ଲୋକେ ତାଙ୍କ ବ୍ୟବସାୟ ଆଇଡ଼ିଆକୁ ଖୁବ ପ୍ରଶଂସା କରୁଛନ୍ତି। ଯୁବକ ଜଣକ ହେଲେ ଦିବ୍ୟାଂଶୁ ବାତ୍ରା। ୨୧ ବର୍ଷୀୟ ଦିବ୍ୟାଂଶୁଙ୍କ ଘର ଡେରାଡୁନରେ।ଲକଡାଉନ ସମୟରେ ଦିବ୍ୟାଂଶୁଙ୍କର ବ୍ରେକଅପ ହୋଇଯାଇଥିଲା। ବ୍ରେକଅପ ଯୋଗୁଁ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ସବୁବେଳେ ଏକା ଏକା ରହୁଥିଲେ। ଏକା ବସି ସବୁବେଳେ ପୁରୁଣା କଥା ମନେ ପକାଉଥିଲେ। ପ୍ରେମିକାକୁ ମନେପକାଇ ଆହୁରି ଦୁଃଖିତ ହୋଇଯାଉଥିଲେ। ୬ ମାସ ଯାଏଁ ମାନସିକ ଅବସାଦରେ ରହିବା ପରେ ତାଙ୍କ ମୁଣ୍ଡକୁ ଏକା ଆଇଡ଼ିଆ ଜୁଟିଲା। ସେ ଏକା ସ୍ପେଶାଲ କ୍ୟାଫେ ଖୋଲିବାକୁ ନିଷ୍ପତ୍ତି ନେଲେ।ସେ ନିଜ ସ୍ପେଶାଲ କ୍ୟାଫେର ନାଁ ‘ଦିଲ୍ ଟୁଟା ଆଶିକ-ଚାଏ ଵାଲା’ ରଖିଲେ। ଏହି କ୍ୟାଫେ ଡେରାଡୁନ ଜିଏମଏସ ରୋଡରେ ଅବସ୍ଥିତ। ଡିସେମ୍ବର ୧୬ ତାରିଖରେ ସେ କ୍ୟାଫେ ଖୋଲିଲେ। ତାଙ୍କ କ୍ୟାଫେ ସେଠାରେ ବହୁତ ଲୋକପ୍ରିୟ। ବିଶେଷକରି ଯୁବପିଢ଼ି ଓ ପ୍ରେମରେ ଧୋକା ଖାଇଥିବା ଲୋକେ ଏଠାକୁ ଆସିବାକୁ ବହୁତ ପସନ୍ଦ କରୁଛନ୍ତି।ଦିବ୍ୟାଂଶୁ ଚାହୁଁଥିଲେ ତାଙ୍କ କ୍ୟାଫେ ସ୍ପେଶାଲ ହେଉ। ଏଠାକୁ ଆସୁଥିବା ଲୋକେ କେବଳ ଚା’ କି କଫି ପାଇଁ ନ ଆସନ୍ତୁ। ବରଂ ଏଠାରେ ସେମାନେ ନିଜ ଜୀବନ ଓ ପ୍ରେମ ସମ୍ପର୍କର ସ୍ମୃତି ସେୟାର କରନ୍ତୁ। ଲୋକେ ବ୍ରେକଅପକୁ ସେଲିବ୍ରେଟ କରିବା ଶିଖନ୍ତୁ।ଦିବ୍ୟାଂଶୁ ବାତ୍ରା କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ କରିଛନ୍ତି। ସେ ନିଜ ଶେଭିଂ ଟଙ୍କାରେ କ୍ୟାଫେ କରିଛନ୍ତି ବୋଲି କହିଛନ୍ତି। ଦିବ୍ୟାଂଶୁ କହିଛନ୍ତି ଏଥିପାଇଁ ତାଙ୍କ ମା’ ତାଙ୍କୁ ସାହାଯ୍ୟ କରନ୍ତି। କିନ୍ତୁ ତାଙ୍କ ବାପା ଏଥିପାଇଁ ଖୁସି ନଥିଲେ। ପୁଅ ଏମିତି ଏକା ନାଁରେ କ୍ୟାଫେ କରିବାକୁ ବାପା ରାଜି ନଥିଲେ। କିନ୍ତୁ ତାଙ୍କ ମା’ ତାଙ୍କୁ ପୁରା ସପୋର୍ଟ କରିଥିଲେ। କିନ୍ତୁ ଯେତେବେଳେ ଲୋକେ ଦିବ୍ୟାଂଶୁଙ୍କ କ୍ୟାଫେର ପ୍ରଶଂସା କରିଥିଲେ ସେତେବେଳେ ବାପା ମଧ୍ୟ ଖୁସି ହୋଇଥିଲେ ଓ ତାଙ୍କୁ ସପୋର୍ଟ କରିଥିଲେ। ଦିବ୍ୟାଂଶୁ କହିଛନ୍ତି, କ୍ୟାଫେ କେବଳ ବ୍ୟବସାୟ ଉଦ୍ଦେଶ୍ୟରେ କରିନାହାନ୍ତି। ବରଂ କ୍ୟାଫେ ମାଧ୍ୟମରେ ସେ ଲୋକଙ୍କୁ ନିଜ କାହାଣୀ ସେୟାର କରିବାକୁ ଏକ ପ୍ଲାଟଫର୍ମ ଦେବାକୁ ଚାହିଁଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ମଣିଷ ଜୀବନରେ ଏହିଭଳି ଏକ ମୁହୂର୍ତ୍ତ ଆସେ। ମୁଁ ଚାହୁଁଛି ସେମାନେ ଏଠାକୁ ଆସନ୍ତୁ, ନିଜ କାହାଣୀ ସେୟାର କରନ୍ତୁ, ନିଜ ଦୁଃଖ ପ୍ରକାଶ କରନ୍ତୁ, ମୋ ସହ ବାଣ୍ଟନ୍ତୁ। ଏଠାକୁ ଆସୁଥିବା ଲୋକେ ମଧ୍ୟ ଏହି କନସେପ୍ଟକୁ ବହୁତ ପସନ୍ଦ କରୁଛନ୍ତି ଓ ନିଜ କାହାଣୀ ସେୟାର କରୁଛନ୍ତି।

Related posts

Leave a Comment